୨୪ ବର୍ଷ ପରେ ଉତ୍ତର କୋରିଆ କାହିଁକି ଗଲେ ପୁଟିନ୍
ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦୁଇ ଦିନିଆ ଉତ୍ତର କୋରିଆ ଗସ୍ତ କରିଛନ୍ତି। ଉତ୍ତର କୋରିଆର ବୁଲେଟ ଟ୍ରେନ ଯେତେବେଳେ ଋଷର ପୂର୍ବ ଅଞ୍ଚଳ ଦେଇ ଚଳାଚଳ ହୋଇଥିଲା ସେତେବେଳେ ନିଜ ଦେଶକୁ ଆସିବାକୁ ପୁଟିନକୁ ନିମନ୍ତ୍ରଣ ଦେଇଥିଲେ ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନ୍। ପୁଟିନ୍ ମଧ୍ୟ ଏହି ନମନ୍ତ୍ରଣକୁୁ ସ୍ୱୀକାର କରିଥିଲେ। ପୁଟିନ୍ ଉତ୍ତର କୋରିଆ ଗସ୍ତ କରିବା ପରେ ପୁରା ଦୁନିଆର ଗଣମାଧ୍ୟମର ନଜର ଏବେ ଏହି ଖବର ଉପରେ ରହିଛି। ଏଠାରେ ପ୍ରଶ୍ନ ଉଠିଛି ପୁଟିନ୍ଙ୍କ ଏହି ଗସ୍ତ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଟିନ ଉତ୍ତର କୋରିଆ ଗସ୍ତରେ କାହିଁକି ଯାଇଛନ୍ତି।
ପ୍ରଥମ କଥା ହେଉଛି ପୁଟିନଙ୍କ ଏହା ଦ୍ୱିତୀୟ ଉତ୍ତର କୋରିଆ ଗସ୍ତ। ଏହାପୂର୍ବରୁ ୨୦୦୦ ମସିହାରେ ପୁଟିନ୍ ପ୍ରଥମ ରାଷ୍ଟ୍ରପତି ହେବା ପରେ ଉତ୍ତର କୋରିଆ ଗସ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ବନ୍ଧୁତା ଅପେକ୍ଷା କିଭଳି ନିଜ ନିଜ ପାଇଁ ଫାଇଦା ଦେବ ସେହି ସ୍ଥିତିରେ ପହଂଚିଛି। ଫଳରେ ପଶ୍ଚିମ ଦେଶମାନଙ୍କର ଚିନ୍ତା ବଢିବାରେ ଲାଗିଛି। ତେବେ ଏସବୁ ଭିତରେ ଋଷ-ଉତ୍ତର କୋରିଆ ପରସ୍ପରଠାରୁ କଣ ଚାହୁଁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି। କୁହାଯାଉଛି ଏ ତମାମ ଘଟଣା ଅସ୍ତ୍ରଶସ୍ତ୍ର ତିଆରି ଓ ଯୋଗାଣ ଉପରେ ନିର୍ଭର କରୁଛି।
ପୁଟିନଙ୍କ ସହଯୋଗୀଙ୍କ କହିବା କଥା ହେଲା ଉତ୍ତର କୋରିଆ ଠାରୁ ଋଷ ଗୋଳା ବାରୁଦ, ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକ ଓ ନିଜ ଇଚ୍ଛାରେ ଯୁଦ୍ଧର ମଇଦାନକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ହାସଲ କରିବାକୁ ଚାହୁଁଛି। ଏହା ବଦଳରେ ଉତ୍ତର କୋରିଆକୁ ଋଷର ଉତ୍ପାଦନ ସାମଗ୍ରୀ ଓ ସୈନିକ ବ୍ୟବହାର କରୁଥିବା ଉପକରଣ ଯୋଗାଣରେ ସାହାଯ୍ୟ ମିଳିପାରିବ। ଉତ୍ତର କୋରିଆର ମିସାଇଲ୍ ଏବେ ଆମେରିକାକୁ ମାତ ଦେବା ଭଳି ଯୋଗ୍ୟ ହୋଇସାରିଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ଉତ୍ତର କୋରିଆ ୫୦ଲକ୍ଷ ଗୋଳା ବାରୁଦ ଋଷକୁ ପଠାଇଛି। ଋଷ ଏବଂ ଉତ୍ତର କୋରିଆ ଦୁନିଆର ସବୁଠାରୁ ଅଧିକ ପ୍ରତିବନ୍ଧକ ଲଗାଯାଇଥିବା ଦେଶ। ପରମାଣୁ ବୋମାର ବାରମ୍ବାର ପରୀକ୍ଷଣ କରୁଥିବାରୁ ଉତ୍ତର କୋରିଆ ଉପରେ ଅନେକ ଦେଶ ପ୍ରତିବନ୍ଧକ ଲଗାଇଛନ୍ତି।
କୁହାଯାଉଛି ଯେ ଦୁନିଆର ନଜରରେ ସର୍ବଦା ରହିଥିବା ଋଷ ପାଇଁ ବର୍ତ୍ତମାନ ଉତ୍ତର କୋରିଆର ଗୁରୁତ୍ୱ ବଢିବାରେ ଲାଗିଛି ଏବଂ ଉତ୍ତର କୋରିଆକୁ ମଧ୍ୟ ଜଣାଅଛି ଯେ ଋଷକୁ ବର୍ତ୍ତମାନ ବନ୍ଧୁ ଦେଶଙ୍କ ସାହାରା ଆବଶ୍ୟକ। ଋଷର ସ୍ୱରରେ ସ୍ୱର ମିଳାଉଥିବା ଅନେକ ଦେଶ ଏବେ ମଧ୍ୟ ତାସହିତ ଥିବା ଋଷ ଦେଖାଇବାକୁ ଚାହୁଁଛି। ପୁଟିନ୍ ଇରାନ ସହିତ ବନ୍ଧୁତା ବଢାଇବାକୁ ପ୍ରୟାସ କରିଛନ୍ତି। ସେହିପରି ଚୀନ ସହିତ ଭଲ ସମ୍ପର୍କ ଥିବା କାହାକୁ ଅଛପା ନାହିଁ। ଅନ୍ୟପଟେ ଭାରତ ମଧ୍ୟ ଋଷର ପୁରୁଣା ବନ୍ଧୁ ଦେଶ ମଧ୍ୟରେ ସାମିଲ ହୋଇଛି। ଏବେ ଋଷ- ଉତ୍ତର କୋରିଆ ମଧ୍ୟରେ କେଉଁ ପ୍ରସଙ୍ଗରେ ଚୁକ୍ତି ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
Comments are closed.