ଜୁନ୍‍ ୧୨ରେ କିମ୍‍ଙ୍କୁ ଭେଟିବେ ବୋଲି ଘୋଷଣା କଲେ ଟ୍ରମ୍ପ

0

ୱାଶିଂଟନ : ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ଙ୍କ ସହ ଜୁନ୍‍ ୧୨ରେ ସିଙ୍ଗାପୁରରେ ଶିଖର ବୈଠକ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଘୋଷଣା କରିଛନ୍ତି। ହ୍ୱାଇଟ ହାଉସରେ ଉତ୍ତରକୋରିଆ କୂଟନୀତିଜ୍ଞ ତଥା କିମ୍‍ଙ୍କ ଘନିଷ୍ଠ ସହଯୋଗୀ କିମ ୟୋଙ୍ଗ ଚୋଲଙ୍କ ସହ ଦୀର୍ଘ ୨ ଘଣ୍ଟାର ଆଲୋଚନା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଉତ୍ତରକୋରିଆ କୂଟନୀତିଜ୍ଞ ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଟ୍ରମ୍ପଙ୍କ ଭେଟିବାର ଦୁଇ ଦିନ ପୂର୍ବରୁ ଚୋଲ୍‍ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପୋମପେଓଙ୍କୁ ଭେଟି ଆଲୋଚନା କରିଥିଲେ। ଚୋଲ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ଙ୍କ ଏକ ପତ୍ର ଟ୍ରମ୍ପଙ୍କୁ ପ୍ରଦାନ କରିଥିଲେ। ଚୋଲଙ୍କ ସହ ସାକ୍ଷାତ ଆଲୋଚନା ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ଜୁନ୍‍ ୧୨ରେ ସିଙ୍ଗାପୁରରେ କିମ୍‍ଙ୍କ ସହ ତାଙ୍କ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହେବ। ଏହି ପ୍ରକ୍ରିୟା ସଫଳ ହେବ ବୋଲି ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ୧୨ରେ ସେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ। ସେଠାରେ କିମ୍‍ଙ୍କ ସହ ସେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ଓ ଏହି ସାକ୍ଷାତ ଆଲୋଚନାରୁ ସକରାତ୍ମକ ଫଳ ମିଳିବ ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି। କିମ୍‍ ୟୋଙ୍ଗ ଚୋଲଙ୍କ ସହ ତାଙ୍କ ବୈଠକ ସଫଳ ହୋଇଛି ବୋଲି ଟ୍ରମ୍ପ ସୂଚନା ଦେଇଥିଲେ। ଉଲ୍ଲେଖ ଯେ ଉତ୍ତରକୋରିଆ କୂଟନୀତିଜ୍ଞ ଚୋଲଙ୍କ ନାମ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଜାରି ସୂଚୀରେ ରହିଛି। ୧୮ ବର୍ଷ ପରେ ଉତ୍ତରକୋରିଆର ଜଣେ କୂଟନୀତିଜ୍ଞ ବା ଅଧିକାରୀ ଆମେରିକା ହ୍ୱାଇଟ୍‍ ହାଉସରେ ପହଞ୍ଚି ଆଲୋଚନା କରିଛନ୍ତି। ଦୀର୍ଘ ୬୫ ବର୍ଷ ପୁରୁଣା ଶତ୍ରୁ ପରସ୍ପରକୁ ଭେଟିବା ପରେ କ’ଣ ହେବ ତାହା ଦେଖିବାକୁ ବାକି ରହିଲା।

Leave A Reply