କିଟ୍ରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା
ଫେବୃଆରୀ ୨୨ରୁ ମୁକାବିଲା; ୧୫ କ୍ରୀଡ଼ାରେ ୬୦୦୦ ପ୍ରତିଯୋଗୀ; ଭିତ୍ତିଭୂମି ତଦାରଖ କଲେ ପ୍ରତିନିଧି
ଭୁବନେଶ୍ବର : ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହିତ ପରିଚାଳନା କରିବାରେ ସକ୍ଷମ ହୋଇଥିବା ଓଡ଼ିଶାକୁ ମିଳିଛି ଆଉ ଏକ ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସୁଯୋଗ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟିଜ୍ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ୨୦୨୦ ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ କିଟ୍ ବିଶ୍ବବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ୩୫ କ୍ରୀଡ଼ା ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରୁ ୧୫ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ୬୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀ ମଧ୍ୟ ଅଂଶଗ୍ରହଣ କରିବେ।
ପ୍ରତିଯୋଗିତା ତୀରନ୍ଦାଜୀ, ଦୌଡ଼କୁଦ, ବକ୍ସିଂ, ଫେନ୍ସିଂ, ଜୁଡୋ, ସନ୍ତରଣ, ଭାରୋତ୍ତୋଳନ, କୁସ୍ତି, ବ୍ୟାଡ଼ମିଣ୍ଟନ, ବାସ୍କେଟବଲ, ଫୁଟବଲ, ହକି, ଟେବୁଲ ଟେନିସ ଓ ଭଲିବଲ ଉଭୟ ପୁରୁଷ ଓ ମହିଳା ବର୍ଗେର ଆୟୋଜିତ ହେବ। ପ୍ରତି ବର୍ଗରେ ଶ୍ରେଷ୍ଠ ୮ଟି ବିଶ୍ବବିଦ୍ୟାଳୟ ଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତା ଲାଗି ଗୁରୁବାର ୭ଜଣିଆ ପ୍ରତିନିଧି ଦଳ କିଟ୍ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଭିତ୍ତିଭୂମି ତଦାରଖ କରିଥିଲେ। ପ୍ରତିନିଧି ଦଳର ସଦସ୍ୟ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ରାଧେ ଶ୍ୟାମ ଜୁଲାନିଆ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିର୍ଦେଶକ ସନ୍ଦୀପ ପ୍ରଧାନ ପ୍ରମୁଖ କିଟ୍ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଭିତ୍ତିଭୂମି ତଦାରଖ କରିଥିଲେ। ଗୋଟିଏ କ୍ୟାମ୍ପସ ଭିତରେ ଏକାଧିକ କ୍ରୀଡ଼ା ପାଇଁ ରହିଥିବା ଭିତ୍ତିଭୂମି ସହ ଖେଳାଳିଙ୍କ ରହିବା ସୁବିଧାକୁ ନେଇ ପ୍ରତିନିଧି ସଦସ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ। ଫଳରେ କିଟ୍ରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବ ବୋଲି ଘୋଷଣା କରା ଯାଇଥିଲା। କିଟ୍କୁ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ ନେଇ ଅଧିକାର ମିଳିଥିବାରୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ପ୍ରଫେସର ଡ. ଅଚ୍ୟୁତ ସାମନ୍ତ ସାଇ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
କିଟ୍ରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ୧୫ଟି ଶୃଙ୍ଖଳା ଲାଗି ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ରହିଛି। କ୍ରୀଡ଼ା ଭିତ୍ତିଭୂମିକୁ ନେଇ ସାଇ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପ୍ରତିନିଧି ସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି କିଟ୍ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ କହିଛନ୍ତି। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା ଭଳି ପ୍ରତିଯୋଗିତା ଲାଗି ପ୍ରତିଭାବାନ ଖେଳାଳି ଅନ୍ବେଷଣ ଲକ୍ଷ୍ୟରେ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଛି। ଉକ୍ତ ପ୍ରତିଯୋଗିତାରୁ ପ୍ରତିଭାବାନ୍ ଖେଳାଳିଙ୍କୁ ମନୋନୟନ କରାଯାଇ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ନଭେମ୍ବର ୧ରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍ ରିଜିଜୁ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏଫ୍ଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତା ହକି ମ୍ୟାଚରେ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ରିଜିଜୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରତି ରହିଥିବା ଉତ୍ସାହ ଓ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ନେଇ ପ୍ରଶଂସା କରିବା ସହିତ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନର ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସବୁଜ ସଙ୍କେତ ମିଳିବା ପରେ ଉକ୍ତ ପ୍ରତିଯୋଗିତା କିଟ୍ରେ ଆୟୋଜିତ ହେବା ନେଇ ନିଷ୍ପତ୍ତି ହୋଇଛି।
Comments are closed.