ଦାନରେ ମିଳିଲା କିଡ୍‌ନୀ ; ନଷ୍ଟ କଲେ ଡାକ୍ତର

ଏସ୍‌ସିବିରେ କାଡାଭେରିକ୍‌ ପ୍ରତିରୋପଣ ପ୍ରହସନ

କଟକ : କିଡ଼ନୀ ପ୍ରତିରୋପଣ ଲାଗି ମାସ ମାସ ଧରି ରୋଗୀମାନେ ଲମ୍ବା ଧାଡିରେ ଅପେକ୍ଷା କରିଛନ୍ତି। ଏବେ ଏସସିବିରେ ଶହେରୁ ଊର୍ଦ୍ଧ୍ବ ରୋଗୀ କିଡ଼ନୀ ପ୍ରତିରୋପଣ ପାଇଁ ପଞ୍ଜୀକରଣ କରି ଅପେକ୍ଷା କରିଛନ୍ତି। ଏକ୍ଷେତ୍ରରେ ମସ୍ତିଷ୍କ ମୃତ (ବ୍ରେନ୍‌ ଡେଡ୍‌) ବ୍ୟକ୍ତିଙ୍କ ପରିବାର ବର୍ଗ ମଧ୍ୟ କିଡ଼ନୀ ଦାନକରି ଅନ୍ୟର ଜୀବନ ବଞ୍ଚାଇବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ଅଥଚ କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ ରୂପେ ଗଢିତୋଳିବାର ନକ୍ସା ପ୍ରସ୍ତୁତ କରିଥିବା ସରକାରଙ୍କ ପାଖରେ ଦକ୍ଷ ତଥା ଅଭିଜ୍ଞ ଡାକ୍ତରଙ୍କ ଅଭାବ ଓ ସ୍ବାସ୍ଥ୍ୟ ବିଭାଗର ଅପାରଗତା ଯୋଗୁଁ ଏସ୍‌ସିବିରେ କାଡାଭେରିକ୍ ପ୍ରତିରୋପଣ ବ୍ୟବସ୍ଥା ପ୍ରହସନ ପାଲଟିଛି। ନିକଟରେ କାଡାଭେରିକ ପଦ୍ଧତିରେ ଜଣେ କିଡନୀ ଗ୍ରହୀତା ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ୫ ବର୍ଷ ବୟସର ମସ୍ତିସ୍କ ମୃତ ଶିଶୁଠାରୁ ସଂଗୃହୀତ ଦୁଇଟି କିଡନୀକୁ ଏସ୍‌ସିବି ଡାକ୍ତରୀ ଦଳ ପ୍ରତିରୋପଣ କରି ନପାରି ଏହାକୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଫେରାଇବା ଓ ଏହା ଅନ୍ୟ ଶରୀରରେ ପ୍ରତିରୋପଣ ହୋଇ ନପାରି ଶେଷରେ ଗୋଟିଏ ନଷ୍ଟ ହେବା ଘଟଣା ରାଜ୍ୟରେ କାଡାଭେରିକ୍‌ ପ୍ରତିରୋପଣ ବ୍ୟବସ୍ଥା ଉପରେ କେବଳ ପ୍ରଶ୍ନବାଚୀ ସୃଷ୍ଟି କରିନି; ବରଂ ଏହା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରତି ଉପହାସ ପାଲଟିଛି। ଦାନ କିଡ଼ନୀ ନଷ୍ଟ ହେବା ଘଟଣା କେବଳ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀ ଓ ତାଙ୍କ ପରିବାରକୁ ହତୋତ୍ସାହିତ କରିନି; ବରଂ ଅଙ୍ଗଦାନ କରୁଥିବା ବ୍ୟକ୍ତିବିଶେଷ ଓ ତାଙ୍କ ପ୍ରିୟଜନଙ୍କୁ ମଧ୍ୟ ଏଥିପ୍ରତି ନିରୁତ୍ସାହିତ କରିଛି। ପ୍ରକାରାନ୍ତରେ ଏହା ବିଭାଗୀୟ ଡାକ୍ତରଙ୍କ ପାରିବାରପଣିଆ ପ୍ରତି ସନ୍ଦେହ ସୃଷ୍ଟି କରିଛି। ପ୍ରକୃତରେ ଏସ୍‌ସିବି ଡାକ୍ତରଙ୍କର ଏହା ଅପାରଗତା ନା ପରୋକ୍ଷରେ ଘରୋଇ ହସ୍ପିଟାଲକୁ ଏହା ପ୍ରୋତ୍ସାହନ ସେଥିନେଇ ମଧ୍ୟ ବୁଦ୍ଧିଜୀବୀ ମହଲରୁ ଅଙ୍ଗୁଳି ନିର୍ଦେଶ କରାଯାଇଛି। କିଡନୀ ପ୍ରତିରୋପଣରେ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା କଟକ ବଡ ମେଡିକାଲ ପାଇଁ ଏହା ଏକ ଅପନିନ୍ଦା ବୋଲି ବୁଦ୍ଧିଜୀବୀ ମହଲରୁ ସମାଲୋଚନା କରାଯାଇଛି।

ଘଟଣାଟି ଏପରି। ସୁଧାଂଶୁଶେଖର ଲେଙ୍କା। ବୟସ ୫ବର୍ଷ। ଜୁଲାଇ ୪ତାରିଖରେ ତାକୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଭୁବନେଶ୍ୱରସ୍ଥିତ କିମ୍‍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ୧୨ ତାରିଖ ରାତିରେ ତା’ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ମୃତ୍ୟୁ ନିଶ୍ଚିନ୍ତ ଜାଣିବା ପରେ ବାପା ସୌମ୍ୟରଞ୍ଜନ ଲେଙ୍କା ପୁଅର ଦୁଇଟି କିଡନୀ ଓ ଲିଭର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ସଂକ୍ରାନ୍ତରେ ସେ କିମ୍‍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଷ୍ଟେଟ୍‌ ଅର୍ଗାନ୍‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌ (ସୋଟୋ) ଅଧିକାରୀଙ୍କୁ ଅବଗତ କରିଥିଲେ। ସଙ୍ଗେ ସଙ୍ଗେ ସୋଟୋ ଅଧିକାରୀ କଟକ ବଡ଼ ମେଡିକାଲ ମୃତଶଲ୍ୟ ବିଭାଗର ଡାକ୍ତରଙ୍କୁ ଜଣାଇବା ସହିତ କିଡନୀ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। ସୋଟୋ ଅଧିକାରୀଙ୍କ ପରାମର୍ଶକ୍ରମେ ମୃତଶଲ୍ୟ ବିଭାଗୀୟ ମୁଖ୍ୟଙ୍କ ସମେତ ଏକ ଡାକ୍ତରୀ ଦଳ ବିଳମ୍ବିତ ରାତିରେ ପହଞ୍ଚି କିମ୍‍ସରୁ ଦୁଇଟି କିଡନୀ ସଂଗ୍ରହ କରି ମେଡିକାଲକୁ ଫେରିଥିଲେ। ଦୁର୍ଭାଗ୍ୟର ବିଷୟ, ବଡ଼ ମେଡିକାଲରେ କିନ୍ତୁ ଉକ୍ତ କିଡନୀ ଦୁଇଟି ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହୋଇପାରି ନ ଥିଲା। ପ୍ରତିରୋପଣ ହୋଇ ନ ପାରିବାରୁ କିଡନୀ ଦୁଇଟିକୁ ଧରି ଏସ୍‍ସିବିର ଡାକ୍ତରୀ ଦଳ ଆପୋଲୋରେ ପହଞ୍ଚିଥିଲେ। ଆପୋଲୋରେ ଗୋଟିଏ କିଡନୀ ପ୍ରତିରୋପଣ ହୋଇଥିଲେ ମଧ୍ୟ ଅନ୍ୟ କିଡନୀଟି ପ୍ରତିରୋପଣ ହୋଇ ନ ପାରି ନଷ୍ଟ ହୋଇଯାଇଥିଲା।

prayash
ସୁଧାଂଶୁର ଫାଇଲ ଫଟୋ

ସୂଚନାଯୋଗ୍ୟ, ମୂତ୍ରଶଲ୍ୟ ବିଭାଗରେ କିଡନୀ ପ୍ରତିରୋପଣ ଅପେକ୍ଷାରେ ୧୦୦ରୁ ଊର୍ଦ୍ଧ୍ବ ରୋଗୀ ଅଛନ୍ତି। ଏହାସତ୍ତ୍ବେ ଜଣେ ରୋଗୀଙ୍କୁ ଚିହ୍ନଟ କରି ପ୍ରତିରୋପଣ କରାଯାଇପାରିଲା ନାହିଁ। ବିଭାଗୀୟ ଡାକ୍ତରଙ୍କ ଅପାରଗତା ଯୋଗୁଁ କିଡ଼ନୀ ପ୍ରତିରୋପଣ ସମ୍ଭବ ହୋଇପାରି ନଥିବା କୁହାଯାଉଛି। ପ୍ରକାଶ ଯେ, ନିକଟରେ କାଡାଭେରିକ୍‌ ପଦ୍ଧତିରେ ଜଣେ ୧୫ବର୍ଷୀୟ ବାଳିକାର ଗୋଟିଏ କିଡନୀ ମୂତ୍ରଶଲ୍ୟ ବିଭାଗରେ ଜଣେ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା; କିନ୍ତୁ ଏହା ଠିକ୍‌ ଭାବେ ପ୍ରତିରୋପଣ ହୋଇ ନ ଥିବାରୁ ଏକ ମାସ ମଧ୍ୟରେ କିଡନୀ ନେଇଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ରାଜ୍ୟ ସରକାରଙ୍କ ଶହ ଶହ କୋଟି ଟଙ୍କା ବିନିଯୋଗ ହେଉଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ କିନ୍ତୁ ଗୋଟିଏ କିଡନୀ ପ୍ରତିରୋପିତ ନ ହେବା ଦୁର୍ଭାଗ୍ୟଜନ ତଥା ମୂଲ୍ୟବାନ ଅଙ୍ଗ ଉଦ୍ଧାର ହୋଇ ନ ପାରିବା କ୍ଷୋଭର ବିଷୟ। ଲିଭର(ଯକୃତ), ହାର୍ଟ(ହୃତପିଣ୍ଡ), ଫୁସଫୁସ, ପାନ୍‌କ୍ରିୟା(ଅଗ୍ନାଶୟ) ଆଦି ଅଙ୍ଗ ପ୍ରତିରୋପଣ ପାଇଁ ବହୁ ରୋଗୀ ଅପେକ୍ଷା କରିଥିବାବେଳେ ସେଗୁଡିକ ଗ୍ରହଣ କରି ନ ପାରିବା ଆମ ଭିତ୍ତିଭୂମି ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ମତ ଦେଇଛନ୍ତି। ରାଜ୍ୟ ସରକାର ୬୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବାକୁ ଉଦ୍ୟମ କରୁଛନ୍ତି। ଏଭଳି ସ୍ଥିତିରେ କାଡାଭେରିକ୍‌ ପ୍ରତିରୋପଣ ବ୍ୟବସ୍ଥାରେ ଏଭଳି ବିଫଳତା ଦୁର୍ଭାଗ୍ୟଜନକ। ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ତୁରନ୍ତ ଦୃଷ୍ଟିଦେବାକୁ ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି।

kalyan agarbati

Comments are closed.