ଅପହୃତ ପ୍ରଧାନଶିକ୍ଷକ ଜଙ୍ଗଲରୁ ଉଦ୍ଧାର, ୩ ଗିରଫ

ସୁନ୍ଦରଗଡ଼: ବ୍ରାହ୍ମଣମରା ସରକାରୀ ୟୁପି ସ୍କୁଲର ଅପହୃତ ପ୍ରଧାନଶିକ୍ଷକ ସର୍ବେଶ୍ୱର ଦାସଙ୍କୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ଅପହୃତ ଶିକ୍ଷକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ତିନିଜଣ ଅପହର୍ତ୍ତାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଧଳା ରଙ୍ଗର ସ୍କୋର୍ପିଓ ସହ ନଗଦ ୫୦ହଜାର ଟଙ୍କା ଆଦି ଜବତ କରାଯାଇଛି।

ପୁଲିସ ସୂଚନା ଅନୁସାରେ ୭ ତାରିଖ ରାତି ପ୍ରାୟ ୬ଟାରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ପେଣ୍ଠା ଗ୍ରାମର ମୂଳ ବାସିନ୍ଦା ସର୍ବେଶ୍ୱରଙ୍କ ପତ୍ନୀ ପ୍ରବୀଣା ମଲ୍ଲିକ (୩୮)ଙ୍କୁ ତାଙ୍କ ସ୍ୱାମୀଙ୍କ ମୋବାଇଲ୍‌ରୁ ଜଣେ ଅଜଣା ବ୍ୟକ୍ତି ଫୋନ କରି ସର୍ବେଶ୍ୱରଙ୍କୁ ବ୍ରାହ୍ମଣମରାରୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିବା କହିବା ସହ ଲକ୍ଷେ ଟଙ୍କା ଦେଲେ ସ୍ୱାମୀଙ୍କୁ ମୁକ୍ତ କରାଯିବ ବୋଲି ଧମକ ଦେଇଥିଲେ। ପ୍ରବୀଣା ଏଥିରେ ଅକ୍ଷମତା ପ୍ରକାଶ କରିଥିଲେ ହେଁ ଅପହରଣକାରୀ ଟଙ୍କା ଦେବା ପାଇଁ ବାଧ୍ୟ କରିଥିଲେ। ସ୍ୱାମୀଙ୍କୁ ଅପହରଣକାରୀଙ୍କ କବଳରୁ ମୁକୁଳାଇବା ପାଇଁ ପ୍ରବୀଣା ୫୦ ହଜାର ଟଙ୍କା ସଂଗ୍ରହ କରି ଘଟଣାସ୍ଥଳକୁ ଯାଇଥିଲେ। ୬ଜଣ ଅଭିଯୁକ୍ତ ଏକ ଧଳା ରଙ୍ଗର ସ୍କୋର୍ପିଓରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୫୦ ହଜାର ଟଙ୍କା ନେଇଯିବା ସହ ଆଧାର କାର୍ଡ ଓ ଭ୍ୟାନିଟ ବ୍ୟାଗ ନେଇ ତୁମଲା ଅଭିମୁଖେ ଫେରାର୍‌ ହୋଇଯାଇଥିଲେ। ଏପରିକି ସେମାନେ ସକାଳ ସୁଦ୍ଧା ଆଉ ୫୦ ହଜାର ଟଙ୍କା ଆଣିବା ପାଇଁ ଧମକ ଦେଇ ପଳାଇ ଯାଇଥିଲେ।

ଏ ନେଇ ପ୍ରବୀଣା କିଞ୍ଜିରିକେଲା ପୁଲିସ ଥାନାର ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସଡିପିଓ ଶ୍ରୀ ବେହେରାଙ୍କ ନେତୃତ୍ବରେ ଇନ୍ସପେକ୍ଟର ଜଗଦୀଶ ବାରାଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଦୁଇଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ଅପହରଣକାରୀଙ୍କୁ ଗିରଫ କରିବା ସହ ଅପହୃତ ଶିକ୍ଷକଙ୍କୁ ଉଦ୍ଧାର ପାଇଁ ପୁଲିସ ଜାଲ ବିଛାଇଥିଲା। ଏସପି ଛତିଶଗଡ଼ ପୁଲିସ ସହ ଯୋଗାଯୋଗ କରିଥିଲେ। ଯୋଜନାବଦ୍ଧ ଭାବେ ପୁଲିସ ଚଢ଼ଉ କରିଥିଲା। ଗୋଟିଏ ପଟେ ଛତିଶଗଡ଼ ପୁଲିସ ଓ ଅନ୍ୟପଟେ ଓଡ଼ିଶା ପୁଲିସ ଥିବାବେଳେ ମଝିରେ ଫସିଯାଇଥିଲା ଅପହରଣକାରୀଙ୍କ ଗାଡ଼ି। ଏପରିକି ଓଡ଼ିଶା ପୁଲିସ ସହ ଅପହର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଅପହରଣକାରୀ ଅଶୋକ ଆପଟ (୪୩),(ଛତିଶଗଡ଼ ରାଜ୍ୟ ଝସପୁର ଥାନା ଟିକିଲିପଡ଼ା ଅଞ୍ଚଳର), ସଞ୍ଜୟକୁମାର ପ୍ରଧାନ (ଛତିଶଗଡ଼ ରାଜ୍ୟ ଝସପୁର ଜିଲା ରାୟଗଡ଼ ଘରଗଡ଼ା ଗାଁ) ଓ ଛତିଶଗଡ଼ ରାଜ୍ୟ ଝସପୁର ଜିଲା ତୁମଲା ଥାନା କୋନପାରା ଗାଁର ଶଙ୍କର ସାହୁ (୪୪)ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଆଧାର କାର୍ଡ (ଅଭିଯୋଗକାରିଣୀଙ୍କର) ଏବଂ ୫୦ ହଜାର ଟଙ୍କା ଜବତ କରିଥିଲା। ସେମାନଙ୍କ ନିକଟରୁ ଅପହୃତ ପ୍ରଧାନଶିକ୍ଷକଙ୍କୁ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନେ ଅପହୃତ ପ୍ରଧାନଶିକ୍ଷକଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ପୁଲିସ ଜାଣିପାରିଥିଲା। ତାଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଘଟଣାରେ ଫେରାର ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଜାଲ ବିଛାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Comments are closed.