ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ୭୦୦ ମିଟର ଟନେଲ କାର୍ଯ୍ୟ ସମ୍ପୂର୍ଣ୍ଣ
ବୌଦ୍ଧ : ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ହାସଲ କରିଛି। ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଆଢ଼େଣିଗଡ଼ -ଚାରିଛକ ରେଳ ସେକ୍ସନ ମଧ୍ୟରେ ନିର୍ମାଣଧୀନ ୪୧୮୫ ମିଟର ଲମ୍ବ ଟନେଲ ର ପଛ ପାର୍ଶ୍ୱରୁ ୭୦୦ ମିଟର ଲମ୍ବ ଟନେଲ ସଫଳତାର ସହ ଖୋଳାଯାଇଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପର ମୋଟ ୩୦୧ କିଲୋମିଟର ମଧ୍ୟରୁ ୧୫୨.୮୦୫ କିଲୋମିଟର କାର୍ଯ୍ୟକ୍ଷମ ହୋଇଛି । ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ଲାଇନ ନିର୍ମାଣ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ୪୭କିଲୋମିଟର କାର୍ଯ୍ୟ ଶେଷ ହୋଇଛି । ଏହା ବ୍ୟତୀତ, ସୋନପୁର ଠାରୁ ଝରମୁଣ୍ଡା ପର୍ଯ୍ୟନ୍ତ ୨୮.୭୬୫ କି.ମି. ଦୈର୍ଘ୍ୟ ରେଳ ମାର୍ଗ ମଧ୍ୟ ଇତି ମଧ୍ୟରେ ଶେଷ ହୋଇଛି । ସୋନପୁରରୁ ପୁରୁଣା କଟକ ପର୍ଯ୍ୟନ୍ତ ପ୍ରାୟ ୭୩ କିଲୋମିଟର ପର୍ଯ୍ୟନ୍ତ ସେଗମେଣ୍ଟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।
Comments are closed.