ନିଜ ବିଚାର ପ୍ରତି ବିଶ୍ୱସ୍ତପଣ ହେଉଛି ସତ୍ ସାହିତ୍ୟର ଧର୍ମ
ଖୋଲାଝର୍କାର ବାର୍ଷିକ ଉତ୍ସବ
କଟକ : ନିଜ ବିଚାର ପ୍ରତି ଏକାନ୍ତ ବିଶ୍ୱସ୍ତପଣ ହେଉଛି ସତ୍ ସାହିତ୍ୟର ଧର୍ମ ବୋଲି ବିଶିଷ୍ଟ କଥାକାର ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରା ମତ ପ୍ରକାଶ କରିଛନ୍ତି । ରବିବାର ପୂର୍ବାହ୍ନରେ କଟକ ମହାନଦୀ ବିହାରସ୍ଥ ମହାନଦୀ ଭବନରେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖୋଲାଝର୍କାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟିକ କସ୍ମିନ କାଳେ କୌଣସି ଚାପର ବଶବର୍ତ୍ତୀ ହେବା ଉଚିତ ନୁହେଁ ବୋଲି ଡକ୍ଟର ବେହେରା ନିଜ ବକ୍ତବ୍ୟରେ ଅବତାରଣା କରିଥିଲେ। ସାହିତ୍ୟିକ ସିଧାସଳଖ ଭାବରେ ରାଜନୀତିର କଥା କହୁ ଏବଂ ତାହା ହିଁ ହେଉଛି ସାଂପ୍ରତିକ ସମୟର ଆହ୍ୱାନ ବୋଲି ସଭାରେ ପୌରୋହିତ୍ୟ କରି ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଦୃଢ଼ ମତ ପୋଷଣ କରିଥିଲେ। ଯାବତୀୟ ଭ୍ରଷ୍ଟାଚାର ବିରୁଦ୍ଧରେ ନିର୍ଭୀକ ଭାବରେ ଲେଖନୀ ଚାଳନା କରିବା ସଚ୍ଚା ସାହିତ୍ୟିକର ଧର୍ମ ବୋଲି ଡକ୍ଟର ଭୂୟାଁ କହିଥିଲେ।
ଖୋଲାଝର୍କା ଅନୁଷ୍ଠାନ ପକ୍ଷରୁ ସୁଖ୍ୟାତ କବି ଶୈଳଜ ରବିଙ୍କୁ ଚଳିତ ବର୍ଷ ପାଇଁ ‘ଖୋଲାଝର୍କା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ପିଢ଼ିଙ୍କ ଭିତରେ ନାନ୍ଦନିକ ରୁଚି ଓ କାବ୍ୟିକ ଦୃଷ୍ଟି ସଂଚାରିତ କରିବା ଦିଗରେ ଆଜିର କବି ଅଗ୍ରାଧିକାର ଦେଉ ବୋଲି ସମ୍ବର୍ଦ୍ଧନାର ଉତ୍ତରରେ ଶୈଳଜ ରବି ଅବତାରଣା କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ସାହିତ୍ୟ ଗବେଷକ ଓ ସ୍ତମ୍ଭକାର ଡକ୍ଟର ଅସିତ ମହାନ୍ତି ଲେଖକ ବନ୍ୟା ଓ ପାଠକ ମରୁଡ଼ି ସାଂପ୍ରତିକ ସାହିତ୍ୟରେ ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି ବୋଲି କହିଥିଲେ। ଖୋଲାଝର୍କାର ପୃଷ୍ଠପୋଷକ ପ୍ରାକ୍ତନ ପୂର୍ତ୍ତ ସଚିବ ଇଂ ଗୋପାଳକୃଷ୍ଣ ବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ସଂଯୋଜକ ଇଂ ଅଜୟ କୁମାର ରାଉତ ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କ ଦ୍ଵାରା ଚଳିତ ବର୍ଷର ମୁଖପତ୍ର ‘ଖୋଲାଝର୍କା’ ଉନ୍ମୋଚିତ ହୋଇଥିଲା। ଶରତ କୁମାର ସାହୁ , ହିମାଂଶୁ ଷଡ଼ଙ୍ଗୀ ଓ ପ୍ରକାଶ ସାହାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଅପରାହ୍ନରେ ସୁଶ୍ରୀ ରାଜଲକ୍ଷ୍ମୀ ପାତ୍ରଙ୍କ ପୌରିହିତ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ଡକ୍ଟର ଶତ୍ରୁଘ୍ନ ପାଣ୍ଡବ ଓ କବି ପିନାକୀ ସିଂ କବିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶ୍ୱମିତ୍ରା ମିଶ୍ର ଓ ସ୍ନେହଲତା ଦ୍ୱିବେଦୀଙ୍କ ସଂଯୋଜନାରେ ପ୍ରସନ୍ନ କୁମାର ମହାନ୍ତି, ମୈତ୍ରୀ ଭୂଷଣ ଖୁଣ୍ଟିଆ, ଶର୍ମିଷ୍ଠା ମହାପାତ୍ର, କୁନଲତା ତ୍ରିପାଠୀ, ନିବେଦିତା ମହାନ୍ତି, ଗୋପା ଦାସ, ରାଜକିଶୋର ପାଢ଼ୀ,ବିମଳ ପତି, ପଦ୍ମଜା ଶରଣ, ବିଭୂତି ପାଣିଗ୍ରାହୀ, ଖଗେଶ୍ବର ମହତାବ, ବିଦ୍ୟୁତ ଲତା ଦାସ, ପ୍ରସନ୍ନ କୁମାର ଜେନା ପ୍ରମୁଖ ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ। ସଭାରେ ବହୁ ସାହିତ୍ୟିକ ଓ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Comments are closed.