ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ କେରଳ ସାଂସଦଙ୍କ ପତ୍ନୀ

0

ତିରୁଅନନ୍ତପୁରମ୍‌ : କେରଳ କଂଗ୍ରେସ ମୁଖ୍ୟ କେ. ଏମ୍‌. ମଣିଙ୍କ ପୁତ୍ର ତଥା ଦଳୀୟ ଏମ୍‌ପି ଜୋଶ୍‌ ମଣିଙ୍କ ପତ୍ନୀ ନିଶା ରାଜ୍ୟର ଅନ୍ୟ ଜଣେ ରାଜନେତାଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପ୍ରକାଶ କରିଛନ୍ତି। ଏହାକୁ ନେଇ କେରଳ ରାଜନୈତିକ ପରିବେଶ ଏବେ ସରଗରମ ହୋଇଛି।

‘ଜୀବନୀ ଅନ୍ୟ ଏକ ପାର୍ଶ୍ବ- ଜଣେ ରାଜନେତାଙ୍କ ପତ୍ନୀ ଭାବେ ମୋ ଜୀବନର ଏକ ଅଂଶ’ ଶୀର୍ଷକ ପୁସ୍ତକରେ ଉକ୍ତ ଘଟଣା ସମ୍ବନ୍ଧରେ ନିଶା ବର୍ଣ୍ଣନା କରିଛନ୍ତି। ତେବେ ସମ୍ପୃକ୍ତ ରାଜନେତାଙ୍କ ନାମ ଉଲ୍ଲେଖ ନ କରି ସେ ଲେଖିଛନ୍ତି, ୨୦୧୨ରେ ଟ୍ରେନ୍‌ଯାତ୍ରା ସମୟର ଏହି ଘଟଣା। ନିଶା ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ନିଜକୁ ରାଜନେତାଙ୍କ ପୁତ୍ର ବୋଲି କହୁଥିବା ଜଣେ ବ୍ୟକ୍ତି ତାଙ୍କୁ ପ୍ରଥମେ ଛୁଇଁବାକୁ ଉଦ୍ୟମ କରିଥିଲେ। ଏପରିକି ଟ୍ରେନ୍‌ରେ ଚଢିବା ପରେ ବ୍ୟକ୍ତି ଜଣକ ତାଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ। ପରେ ସେ ନିଜ ଲକ୍ଷ୍ମଣ ରେଖା ପାର କରିଥିଲେ। ଯାତ୍ରାର ବିଭିନ୍ନ ସମୟରେ ସେ ନିଶାଙ୍କ ପାଦ ସ୍ପର୍ଶ କରୁଥିଲେ। ଯଦିଓ ଦୁର୍ଘଟଣାବଶତଃ ଏଭଳି ଘଟିଥିଲା ବୋଲି ନିଶା ଉଲ୍ଲେଖ କରିଛନ୍ତି ତଥାପି ସେତେବେଳେ ସେ କ୍ରୋଧିତ ହେବା ସହିତ ଘଟଣା ବିଷୟରେ ଟ୍ରେନ୍‌ ଟିକଟ୍‌ ନିରୀକ୍ଷକ (ଟିଟିଇ)ଙ୍କୁ ଜଣାଇଥିଲେ; ମାତ୍ର ଏଥିରେ କୌଣସି ସହଯୋଗ କରିପାରିବେ ନାହିଁ ବୋଲି ସମ୍ପୃକ୍ତ ଟିଟିଇ କହିଥିଲେ। ଏପରି କରିବା ଦ୍ୱାରା ସମସ୍ୟାରେ ପଡିବାର ଆଶଙ୍କା ରହିଛି ବୋଲି ଟିଟିଇ ଦର୍ଶାଇଥିଲେ। ଏଥିସହ ସମ୍ପୃକ୍ତ ବ୍ୟକ୍ତିଙ୍କର ରାଜନୈତିକ ସମ୍ପର୍କ ଥିବାରୁ ସମସ୍ୟାର ଆପୋଷ ସମାଧାନ କରିବାକୁ ରେଳ ଅଧିକାରୀମାନେ ତାଙ୍କୁ ପରାମର୍ଶ ଦେଇଥବା ନିଶା ଉଲ୍ଲେଖ କରିଛନ୍ତି।

ନିଶା କାହାରି ନାମ ନ ନେଇ ଏଭଳି ଅଭିଯୋଗ ଆଣିଥିବାରୁ କେରଳର ବିଧାୟକ ପି. ସି. ଜର୍ଜଙ୍କ ପୁତ୍ର ଶୋନ୍‌ ଜର୍ଜ ଏଥିରେ ଆପତ୍ତି ପ୍ରକାଶ କରିଛନ୍ତି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି। ଏପରିକି କାହାରି ନାମ ପ୍ରକାଶ ନ କରି ନିଶା ଏଭଳି ଅଭିଯୋଗ ଆଣିଥିବାରୁ ଏବେ ଲୋକେ ତାଙ୍କ ଉପରେ ପ୍ରଶ୍ନ ଉଠାଉଥିବା ଶୋନ୍‌ ଦର୍ଶାଇଛନ୍ତି। ଏ ନେଇ ସେ ଥାନାରେ ଏକ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେହି ସମୟରେ ନିଶା ଏବଂ ଶୋନ୍‌ କେରଳ କଂଗ୍ରେସ ଶାଖା ପାଇଁ ଏକାଠି କାର୍ଯ୍ୟ କରୁଥିଲେ। ନିଶା ନିଜର ପୁସ୍ତକର ପ୍ରସାର ନିମନ୍ତେ ଏହି ଘଟଣା ଉପରେ ଅଧିକ ଗୁରୁତ୍ୱର ସହ ଆଲୋକପାତ କରିଛନ୍ତି ବୋଲି ଶୋନେ ଏବଂ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave A Reply