ନାବାଳିକା ଗଣଦୁଷ୍କର୍ମ ମାମଲା; ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝରଗଡ଼: ୧୪ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ୩ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲା ଜଜ୍‌‌ ତଥା ସ୍ୱତନ୍ତ୍ର ବିଚାରପତି ପୋକ୍ସୋ କେନ୍ଦୁଝର ବୁଧବାର ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୫ ମାର୍ଚ୍ଚ ୨୦୨୨ ସନ୍ଧ୍ୟାରେ ସାନଭାଇ ସହ ୧୪ବର୍ଷର ନାବାଳିକା ପାଟଣା ଜାଗର ମେଳା ବୁଲିବାକୁ ଯାଇଥିଲେ। ଏହି ସମୟରେ ବିଦ୍ୟୁତକାଟ୍‌‌ ସୁଯୋଗ ଉଣ୍ଡି ପାଟଣା ଥାନା ଅଧିନ ଟିକାୟତପାଟଣା ଗ୍ରାମର ରଣଜିତ ମହାନ୍ତି(୩୩), କାମେଶ୍ୱରପୁର ଗ୍ରାମର ରବୀନ୍ଦ୍ର ନାଏକ(୨୫) ଏବଂ ପଡୋଶୀ ମୟୁରଭଞ୍ଜ ଜିଲା କରଞ୍ଜିଆ ବିଜ୍ଞାପିତ ପରିଷଦ ୯ନଂ ୱାର୍ଡ ହଂସିସାହିର ସୁନୀଲ କୁମାର ବେହେରା (୩୨) ସମ୍ପୃକ୍ତ ନାବାଳିକା ଜଣକୁ ନିକଟସ୍ଥ ଏକ ଦୋକାନଗୃହ ସମ୍ମୁଖକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏନେଇ ପୀଡିତା ପରଦିନ ଅର୍ଥାତ୍‌‌ ୬ ମାର୍ଚ୍ଚ ୨୦୨୨ରେ ନିକଟସ୍ଥ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୧୫ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତିକରି ଅତିରିକ୍ତ ଜିଲା ଜଜ୍‌‌ ତଥା ସ୍ୱତନ୍ତ୍ର ବିଚାରପତି ପୋକ୍ସୋ କେନ୍ଦୁଝର ସୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ ୩ ଅଭିଯୁକ୍ତ ରଣଜିତ ମହାନ୍ତି, ରବୀନ୍ଦ୍ର ନାଏକ ଓ ସୁନୀଲ କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡିତାଙ୍କୁ କ୍ଷତିପୂରଣ ନିମନ୍ତେ ୭ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ ପାଇଁ ସୁପାରିଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି.(ପକ୍ସୋ) ଗଣେଶ ପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Comments are closed.