କେନ୍ଦୁଝରଗଡ଼: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ତୃଣମୂଳସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାସକ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ରେକର୍ଡ ସଂଖ୍ୟାରେ ଜିତି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପୁରା ଦମ୍ରେ କସରତ ଆରମ୍ଭ କରିଦେଇଥିବା ବେଳେ ପ୍ରମୁଖ ବିରୋଧି ବିଜେପି ମଧ୍ୟ ନୂତନ ରଣକୌଶଳ ଆପଣାଇ କିଭଳି ଶାସନ ଗାଦି ହାସଲ କରିବ ସେ ନେଇ ଉଦ୍ୟମ ଆରମ୍ଭ କରିଦେଇଛି। ଦୁଇ ପ୍ରମୁଖ ବିଜେଡି ଓ ବିଜେପିର ଗୋଳିଆ ପାଣିରୁ ଫାଇଦା ଉଠାଇ କଂଗ୍ରେସ ମଧ୍ୟ ଶାସନ କ୍ଷମତା ହାସଲ କରିବାକୁ ଅଣ୍ଟା ଭିଡିଛି। ଏଭଳି ସ୍ଥିତିରେ କେନ୍ଦୁଝର ଜିଲା ରାଜନୀତି ଭିନ୍ନ ମୋଡ ନେବା ପ୍ରାକ୍ ନିର୍ବାଚନୀ ଆକଳନରୁ ଜଣାପଡ଼ିଛି।
୨୦୧୯ ସାଧାରଣ ନିର୍ବାଚନରେ ଏକମାତ୍ର ଲୋକସଭା ଆସନ ସହ ୬ ବିଧାନସଭା ଆସନରୁ ୫ଟି ଆସନରେ ଶାସକ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କେନ୍ଦୁଝର ସଦର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ରାଜ୍ୟର ଖଣି ଓ ଶିଳ୍ପବହୁଳ ଚମ୍ପୁଆ ବିଧାନସଭା ଆସନରୁ ଶାସକ ବିଜେଡି ପ୍ରାର୍ଥୀ ପୂର୍ବରୁ ଥରୁଟିଏ ହେଲେ ବିଜୟୀ ହୋଇନଥିବା ବେଳେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଆୟୁଧ କରି ଚମ୍ପୁଆ ବିଧାନସଭା ସମେତ ଏକମାତ୍ର ଲୋକସଭା ଆସନରେ ସନାତନଙ୍କ ଅନୁମୋଦିତ ମୀନାକ୍ଷି ମହାନ୍ତ ଓ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବିଜୟୀ କରିବା ବିଜେଡି ପାଇଁ ଲାଭଦାୟକ ଥିଲା। ନିର୍ବାଚନ ପରବର୍ତ୍ତୀ ସମୟରେ ଶାସକ ବିଜେଡି ପକ୍ଷରୁ ଉପହାର ସ୍ୱରୂପ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଦଳରେ ସାମିଲ କରି ରାଜ୍ୟସଭାକୁ ପଠାଇବା କିମ୍ବା କୌଣସି ଦଳୀୟ ଉଚ୍ଚ ପଦପଦବୀରେ ଥଇଥାନ କରିବା ନେଇ ନିଜେ ସନାତନ ଏବଂ ତାଙ୍କ ଅନୁଗତ ବେଶ୍ ଆଶା ବାନ୍ଧିଥିଲେ ହେଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଦ୍ୟାବଧି ସନାତନଙ୍କୁ ତାଙ୍କ ଦଳରେ ସାମିଲ ନକରିବା ସନାତନ ଏବଂ ତାଙ୍କ ଅନୁଗତଙ୍କୁ ନିରାଶ କରିଛି। କେବଳ ସେତିକିନୁହେଁ, ତାଙ୍କ ସମର୍ଥନରେ ଚମ୍ପୁଆ ବିଧାନସଭା ପାଇଁ ଶାସକ ବିଜେଡିରୁ ଟିକେଟ ପାଇ ବିଧାୟିକା ଭାବେ ନିର୍ବାଚିତ ହେବା ପର୍ଯ୍ୟନ୍ତ ସନାତନଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଧାୟିକାଙ୍କ ସହ ସନାତନଙ୍କ ତିକ୍ତତା ବୃଦ୍ଧି ପାଇବା ସହ ବିଧାୟିକାଙ୍କ ସ୍ୱାମୀ ତଥା ଏକଦା ସନାତନଙ୍କ ଏକାନ୍ତ ଅନୁଗତ ଥିବା ଭକ୍ତବନ୍ଧୁଙ୍କ ଇଙ୍ଗିତରେ ଯେଭଳି ଭାବେ ସନାତନଙ୍କ ବାସଭବନ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ସନାତନଙ୍କୁ ଖୁବ୍ ବ୍ୟଥିତ କରିଛି। ଏହି କାରଣରୁ ୨୦୧୯ ସାଧାରଣ ନିର୍ବାଚନରେ ସନାତନ ବିଧାୟକ ଥାଇ ସୁଦ୍ଧା ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରି ତାଙ୍କ ମନୋନୀତ ଦୁଇ ମହିଳାଙ୍କୁ ଚମ୍ପୁଆ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀ କରି ବିଜୟୀ କରିଥିବା ସନାତନ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ନିଜେ ଚମ୍ପୁଆ ଆସନରୁ ପ୍ରତିଦ୍ୱନ୍ଦିତା କରିବା ସହ ଜିଲାର ଅନ୍ୟ ସମସ୍ତ ୫ ବିଧାନସଭା ସମେତ ପଡ଼ୋଶୀ ମୟୁରଭଞ୍ଜ ଜିଲାର କରଞ୍ଜିଆ ବିଧାନସଭା ଏବଂ ଏକମାତ୍ର ଲୋକସଭା ଆସନରେ ନିଜ ଅନୁଗତଙ୍କୁ ପ୍ରାର୍ଥୀ କରି ନିର୍ବାଚନୀ ମଇଦାନରେ ଓହ୍ଲାଇବା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେବେ ଆଗାମୀ ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ଯଦି ସନାତନଙ୍କୁ ମନେଇବାରେ ବିଫଳ ହୁଏ ଏବଂ ସନାତନ ଯଦି ନିଜେ ପ୍ରାର୍ଥୀ ହେବାସହ ଜିଲାର ସମସ୍ତ ବିଧାନସଭା ଏବଂ ଲୋକସଭା ଆସନରେ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତା କରନ୍ତି ତାହାଲେ ଶାସକ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲରେ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ସନାତନଙ୍କ ଜିଲାରେ ସଙ୍ଗଠନ ସହ ନିଜସ୍ୱ ଏକ ଭୋଟ ବ୍ୟାଙ୍କ ଥିବାରୁ ଏବଂ ବିଭିନ୍ନ ସମୟରେ ସନାତନ ଲୋକଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିଥିବାରୁ ସନାତନଙ୍କ ପ୍ରତି ଜନସମର୍ଥନ ରହିଆସିଛି। ଏଭଳି ସ୍ଥିତିରେ ସନାତନ ନିଜେ ପ୍ରାର୍ଥୀ ହେବା ସହ ତାଙ୍କ ସମର୍ଥିତ ପ୍ରାର୍ଥୀ ଅନ୍ୟ ଆସନରୁ ପ୍ରତିଦ୍ୱନ୍ଦିତା କରନ୍ତି ତାହାଲେ ଶାସକ ବିଜେଡି ରାସ୍ତାରେ ସନା ଯେ କଣ୍ଟା ସାଜିବେ ଏହାକୁ ଅସ୍ୱୀକାର କରାଯାଇନପାରେ। ଏଭଳି ସ୍ଥିତିରେ ଗତ ୨୦୧୯ ନିର୍ବାଚନରେ ସ୍ୱଳ୍ପ ଭୋଟ ବ୍ୟବଧାନରେ ତେଲକୋଇ, ପାଟଣା ଓ ଚମ୍ପୁଆ ଆସନରୁ ବିଜେପି ପ୍ରାର୍ଥୀ ପରାସ୍ତ ହୋଇଥିବା ବେଳେ ସନାତନ ଯଦି ୨୦୨୪ ସାଧାରଣ ନିର୍ବାଚନରେ ପୁଣିଥରେ ସ୍ୱାଧିନ ଭାବେ ପ୍ରତିଦ୍ୱନ୍ଦିତା କରନ୍ତି ତାହାଲେ ଏହି ୩ ଆସନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟରେ ବେଶ୍ ସୁହାଇବ ବୋଲି ଚର୍ଚ୍ଚା ଜୋର ଧରିଛି।



