www.samajalive.in
Monday, December 8, 2025
14.1 C
Bhubaneswar

ଜିଲାରେ ବୃଦ୍ଧି ପାଉଛି କିଡ୍‌ନୀ ରୋଗ; ଆବଶ୍ୟକତା ମେଣ୍ଟାଇପାରୁନି ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ର

କେନ୍ଦୁଝରଗଡ଼: ଖଣି ଓ ଶିଳ୍ପବହୁଳ କେନ୍ଦୁଝର ଜିଲାରେ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଡନୀ ରୋଗରେ ଆକ୍ରାନ୍ତଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିଲା ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ର। ପ୍ରଥମେ ୩୦ରୁ ଊର୍ଦ୍ଧ୍ବ କିଡନୀ ରୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ରରେ ବର୍ତ୍ତମାନ ୧୪ଟି ମେସିନ ଯୋଗେ ୩ଟି ପର୍ଯ୍ୟାୟରେ ୧୧୪ଜଣ ରୋଗୀଙ୍କ ଡାୟାଲିସିସ୍‌‌ ଚାଲିଥିବା ବେଳେ ୩୨ଜଣ ରୋଗୀ ଆଜକୁ ଦୀର୍ଘ ୩ମାସ ଧରି ଡାୟାଲିସିସ୍‌‌ ଅପେକ୍ଷାରେ ଅଛନ୍ତି। ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଟି ମେସିନ ଯୋଗେ ୩୪ଜଣ କିଡନୀ ରୋଗୀଙ୍କ ଡାୟାଲିସିସ୍‌‌ ଚାଲିଥିବା ବେଳେ ଜିଲାରେ ମୋଟ ୧୪୮ଜଣ ରୋଗୀଙ୍କ ଡାୟାଲିସିସ୍‌‌ ଚାଲିଥିବା ବେଳେ ୩୨ଜଣ ରୋଗୀ ଡାୟାଲିସିସ୍‌‌ ଅପେକ୍ଷାରେ ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାଦ୍‌‌ ଦେଲେ କେନ୍ଦୁଝରରେ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ମଧ୍ୟ ପ୍ରାୟ ୨୦ଜଣ ରୋଗୀ ଡାୟାଲିସିସ୍‌‌ ହେଉଥିବା ବେଳେ ଜିଲାର ବହୁ କିଡନୀ ରୋଗୀ ପଡୋଶୀ ଯାଜପୁର, ଭଦ୍ରକ ଓ କଟକ ଜିଲାର ବିଭିନ୍ନ ଡାୟାଲିସିସ୍‌‌ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏସବୁକୁ ହିସାବକୁ ନିଆଗଲେ ଜିଲାରେ ପାଖାପାଖି ୩୦୦କିଡନୀ ରୋଗୀ ଥିବା ବେଳେ ଜିଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କିଡନୀ ରୋଗକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ତାହା ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ପଞ୍ଜାବ ଚଣ୍ଡିଗଡ଼ର ରାହି କେୟାର ସଂସ୍ଥା ସହ ଜାତୀୟ ସ୍ୱାସ୍ଥ୍ୟ ମିଶନ ମଧ୍ୟରେ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର ହୋଇ ୨୦୧୮ରେ ପ୍ରଥମେ ୫ବର୍ଷ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ଟି ମେସିନ ଯୋଗେ ଦୁଇଟି ପର୍ଯ୍ୟାୟରେ ଡାୟାଲିସିସ୍‌‌ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଏହା ୧୪ଟି ମେସିନକୁ ବୃଦ୍ଧି ପାଇ ଦିନକୁ ୩ଟି ପର୍ଯ୍ୟାୟରେ ଦୈନିକ ୪୨ଜଣ ରୋଗୀଙ୍କୁ ନିଃଶୁଳ୍କ ଡାୟାଲିସିସ୍‌‌ ସେବା ଯୋଗାଇ ଦିଆଯାଇ ଆସୁଛି। ଏହାସତ୍ତ୍ବେ ଆଜକୁ ପ୍ରାୟ ୩ମାସ ଧରି ୩୨ଜଣ କିଡନୀ ରୋଗୀ ଡାୟାଲିସିସ୍‌‌ ଅପେକ୍ଷାରେ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ର ରୋଗୀଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି। କିଡ୍‌ନୀ ରୋଗୀଙ୍କୁ ହାତ ପାହାନ୍ତାରେ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ କେନ୍ଦୁଝର ଜିଲାର ଖଣି ଓ ଶିଳ୍ପ ବହୁଳ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଟି ମେସିନ ଯୋଗେ ନିଃଶୁଳ୍କ ଡାୟାଲିସିସ୍‌‌ ସେବା ଆରମ୍ଭ ହୋଇଥିବା ବେଳେ ସେଠାରେ ମଧ୍ୟ ୪ଟି ମେସିନ ସାହାର୍ଯ୍ୟରେ ୩ଟି ପର୍ଯ୍ୟାୟରେ ମୋଟ ୩୪ଜଣ ରୋଗୀଙ୍କୁ ଡାୟାଲିସିସ୍‌‌ ସେବା ଯୋଗାଇ ଦିଆଯାଇ ଆସୁଛି।

ଜିଲା ମୁଖ୍ୟ ଚିକିତ୍ସାଳୟ ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ରର ଗୋଟିଏ ମେସିନ ଆଜକୁ ମାସାଧିକ କାଳ ଅଚଳ ହୋଇ ପଡ଼ିଥିବାରୁ ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟ ଡାୟାଲିସିସ୍‌‌ କେନ୍ଦ୍ରରେ ଲାଗିଥିବା ୨ଟି ନୂତନ ଶୀତତାପ ନିୟନ୍ତ୍ରଣ ମେସିନ(ଏ.ସି) ସ୍ଥାପନ ହେବା ପରଦିନ ଠାରୁ ଅଚଳ ହୋଇ ପଡ଼ିଥିବା ବେଳେ ଡାୟାଲିସିସ୍‌‌ ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ଗୃହ ଅପରିତ୍ୟକ୍ତ ହୋଇ ଅସ୍ୱାସ୍ଥ୍ୟକର ପରିବେଶରେ ଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇ ଆସୁଛି। ଖାଲି ସେତିକିନୁହେଁ, ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ରକୁ ବିଦ୍ୟୁତ୍‌‌ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅବସ୍ଥାପିତ ଡି.ଜି. ସେଟ୍‌‌ ରୁମ୍‌‌ ଛପର ଭାଙ୍ଗି ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ଏହାର ସାମାନ୍ୟ ମରାମତି କାର୍ଯ୍ୟ ମଧ୍ୟ ହୋଇପାରୁନି। ଏ ସମ୍ପର୍କରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦୁଝରର ଡିପଏମ୍‌‌ ନିତ୍ୟ ରଞ୍ଜନ ବରାଳଙ୍କୁ ପଚାରିବାରୁ ଅଚଳ ମେସିନ ଦୁଇ ୩ଦିନ ମଧ୍ୟରେ ସଚଳ ହେବା ସହ ବିଶ୍ରାମ ଗୃହ ଓ ଡି.ଜି. ରୁମ୍‌‌ ମରାମତି କାର୍ଯ୍ୟ ମଧ୍ୟ ଖୁବଶୀଘ୍ର କରାଯିବ ବୋଲି କହିଥିଲେ। ଏଥିସହ ଜିଲାରେ ବୃଦ୍ଧି ପାଉଥିବା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଖୁବଶୀଘ୍ର ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories