କେନ୍ଦୁଝରଗଡ଼: ୧୪ଦଫା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ଏବିଭିପି କେନ୍ଦୁଝର ଜିଲା ସଙ୍ଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ ଓ ପଶ୍ଚିମ ମୟୁରଭଞ୍ଜର ସଙ୍ଗଠନ ସମ୍ପାଦକ ଦିବ୍ୟଜ୍ୟୋତି ନନ୍ଦଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ କାଳୀପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ।
କେନ୍ଦୁଝର ଜିଲାରେ ଥିବା ମହାବିଦ୍ୟାଳୟ ମାନଙ୍କରେ ଖାଲି ପଡିଥିବା ଅଧ୍ୟାପକ ଓ ଅଣଅଧ୍ୟାପକ ପଦ ପୂରଣ, ସେମିଷ୍ଟାର ପରୀକ୍ଷାଫଳ ୪୫ ଦିନ ମଧ୍ୟରେ ପ୍ରକାଶ କରିବା, କେନ୍ଦୁଝର ଜିଲାର ସମସ୍ତ ମହାବିଦ୍ୟାଳୟର ଜମିକୁ ନିଜ ମହାବିଦ୍ୟାଳୟ ନାମରେ ପଞ୍ଜିକୃତ କରିବା, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଘରୋଇ ଶିକ୍ଷାନୁଷ୍ଠାନରେ ବୃଦ୍ଧି ପାଉଥିବା ଫି’ କୁ ନିୟନ୍ତ୍ରିତ ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ, କେନ୍ଦୁଝରରେ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ସ୍ଥାପନ, ମହିଳା ହିଂସାକୁ ରୋକିବା ପାଇଁ ଜିଲାରେ ଏକ ମହିଳା ଥାନା ପ୍ରତିଷ୍ଠା, ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ମହାବିଦ୍ୟାଳୟ ପରିସରକୁ ଅଣଛାତ୍ର ମୁକ୍ତ କରିବା, କେନ୍ଦୁଝରରେ ବୃହତ୍ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, ଚମ୍ପୁଆ ଓ ଆନନ୍ଦପୁର ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଘୋଷଣା, କେନ୍ଦୁଝରରୁ ଘଟଗାଁ, ଆନନ୍ଦପୁର ଭଦ୍ରକ ଦେଇ ଧାମରାକୁ ରେଳ ସଂଯୋଗୀକରଣ ତୁରନ୍ତ କରିବା ପାଇଁ ଏବିଭିପି ଛାତ୍ର ନେତା ଦାବି କରିଛନ୍ତି।
ଉପରୋକ୍ତ ମର୍ମରେ କେନ୍ଦୁଝରର ସଙ୍ଗଠନ ସମ୍ପାଦକ ଶ୍ରୀ ରାଉତ ଓ ପଶ୍ଚିମ ମୟୁରଭଞ୍ଜର ସଙ୍ଗଠନ ସମ୍ପାଦକ ଶ୍ରୀ ନନ୍ଦଙ୍କ ସମେତ ପ୍ରୀତିରାଣୀ ଗିରି, ସନ୍ଧ୍ୟା ନାଏକ ଓ ପ୍ରତିଭା ସେଠୀ ପ୍ରମୁଖ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜିଲାପାଳଙ୍କ ଉଦ୍ଦେଶ୍ରରେ ସ୍ମାରକପତ୍ର ପ୍ରଦାନ କରିଥିଲେ।



