‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଦାୟିତ୍ୱ ନେଲେ କସ୍ତୁରୀ ମହାପାତ୍ର

ଡ. ଲେନିନ୍‌ ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ରାଜ୍ୟ ସରକାରଙ୍କ ମୁଖପତ୍ର ‘ଉତ୍କଳ ପ୍ରସଙ୍ଗ’ (ଓଡ଼ିଆ) ଏବଂ ‘ଓଡ଼ିଶା ରିଭ୍ୟୁ’ (ଇଂରାଜୀ)ର ସଂପାଦକ ଭାବେ କସ୍ତୁରୀ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କସ୍ତୁରୀ ମହାପାତ୍ର ବିଭାଗର ପ୍ରକାଶନ ଓ ରଚନା ଶାଖାର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ମତବିିନିମୟ କରିଥିଲେ ଏବଂ ଉଭୟ ପତ୍ରିକାର ଅଭିବୃଦ୍ଧି ନେଇ ସେମାନଙ୍କ ସହଯୋଗ ଅବ୍ୟାହତ ରହିବ ବୋଲି ଆଶା ପ୍ରକାଶ କରିଥିଲେ । ଉଭୟ ପତ୍ରିକାର ଗୁଣାତ୍ମକ ମାନ ବଜାୟ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ଅନୁରୂପ ଭାବରେ, ପୂର୍ବତନ ସଂପାଦକ ଡ. ଲେନିନ୍‌ ମହାନ୍ତି ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଥିବାରୁ ତାଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ୨୦୧୦ ମସିହାରୁ ସଂପାଦକ ଭାବରେ କାର୍ଯ୍ୟ କରିବା ସହିତ ବିଭାଗ ଆନୁକୂଲ୍ୟରେ ଏକାଧିକ ପ୍ରକାଶନର ସଫଳ ସଂପାଦନାରେ ତାଙ୍କର ଭୂମିକା ରହିଥିଲା।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ନବନିଯୁକ୍ତ ସଂପାଦକ କସ୍ତୁରୀ ମହାପାତ୍ରଙ୍କୁ ସ୍ୱାଗତ ଜଣାଇଥିଲେ। ଡ. ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ତାଙ୍କୁ ସବୁ ସମୟରେ ସହଯୋଗ ପ୍ରଦାନ କରିଥିବାରୁ ଡ. ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ।
ରଚନା ଶାଖାରେ ଅନୁଷ୍ଠିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀଙ୍କ ସମେତ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର୍‌ ସିଂହ, ଉପନିର୍ଦ୍ଦେଶକ ସ୍ମିତା କର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.