www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ଯୁଦ୍ଧରେ ‘କାଶୀ’ ମଉସା

ଫୁଲବାଣୀ: ଟିକାବାଲି ବ୍ଳକ୍‍ ଅନ୍ତର୍ଗତ ପାବୁରିଆ ଗ୍ରାମ ପଞ୍ଚାୟତର ବାସିନ୍ଦା କାଶିନାଥ ଦଳବେହେରା। ବୟସ ୮୦ରୁ ଊର୍ଦ୍ଧ୍ବ। ଏହି ବରିଷ୍ଠ ନାଗରିକଙ୍କ ମନରେ ଏବେ କରୋନା ଭୂତାଣୁ ଚିନ୍ତା। ଜନସାଧାରଣ ଯେମିତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ନହୋଇ ସୁଖରେ ଜୀବନଯାପନ କରିପାରିବେ ସେଥିପାଇଁ ସେ ଟିକାବାଲି ବ୍ଳକ୍‍ ଅନ୍ତର୍ଗତ ପାବୁରିଆ ଓ ବୁର୍ବିନାଜୁ ଗ୍ରାମ ପଞ୍ଚାୟତର ଲୋକଙ୍କୁ ନିୟମିତ ସଚେତନ କରୁଛନ୍ତି। କରୋନା ଭୂତାଣୁ ବିଷୟରେ ଶୁଣିବା ପରେ ଏହି ମହାମାରୀ ସମ୍ପର୍କରେ ଜାଣିବା ପାଇଁ ତାଙ୍କର ଆଗ୍ରହ ବଢ଼ିଥିଲା। ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରି ଏ ଯାଏଁ ଏଥିପାଇଁ କୌଣସି ଔଷଧ ବା ଟୀକା ବାହାରିନଥିବା ଓ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଅମୋଘ ଅସ୍ତ୍ର ବୋଲି ଜାଣିବା ପରେ ଆରମ୍ଭ କରିଛନ୍ତି ସଚେତନତା। ବୟସ ଦୃଷ୍ଟିରୁ ନିଜ ପ୍ରତି ସଂକ୍ରମଣର ଭୟ ଥିଲେ ମଧ୍ୟ ଏଥିପ୍ରତି ଭୃକ୍ଷେପ ନକରି ପ୍ରତିଦିନ ଘରକୁ ଘର ଯାଇ ଲୋକଙ୍କୁ ସଚେତନକରୁଛନ୍ତି। କରୋନା ସମ୍ପର୍କିତ ବିଭିନ୍ନ ଲିଫ୍‍ଲେଟ ସଂଗ୍ରହ କରି ବିଭିନ୍ନ ଅଞ୍ଚଳ ବୁଲି ବୁଲି ଲୋକଙ୍କୁ ବାଣ୍ଟୁଛନ୍ତି। ନିଜେ ଲିଫ୍‍ଲେଟ୍‍ ପଢ଼ି କରୋନାରୁ ନିଜକୁ ସୁରକ୍ଷିତ ରଖିବାର ବହୁ ଉପାୟ ଜାଣିପାରିଛନ୍ତି। ଲୋକଙ୍କୁ ହାତ ଧୂଆ, ସାମାଜିକ ଦୂରତା ରକ୍ଷା କରିବା, ବାହାରୁ ଯଦି କିଏ ଆସନ୍ତି ତାଙ୍କୁ କ୍ବରେଣ୍ଟାଇନରେ ରଖିବା, ସାଧାରଣ କାଶ, ଥଣ୍ଡା, ଜ୍ୱର କି ଫ୍ଲୁ ଭଳି କିଛି ଦେଖାଦେଲେ ଡାକ୍ତରଖାନା ଯାଇ ଚିକିତ୍ସା କରିବା ଭଳି ଉପାୟ ଲୋକଙ୍କୁ ବୁଝାଉଛନ୍ତି। ଅନ୍ୟମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବାର୍ତ୍ତା ଲୋକଙ୍କ ନିକଟରେ ସେ ପହଞ୍ଚାଉଛନ୍ତି। ନିଜେ ବଞ୍ଚିବା ସହ ଅନ୍ୟକୁ ମଧ୍ୟ ବଞ୍ଚିବାର ରାହା ଦେଖାଇବାକୁ ସେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଉଛନ୍ତି।

କରୋନା ମୁକାବିଲା ନେଇ ସେ ନିଜ ଅଞ୍ଚଳର ଲୋକଙ୍କୁ ସଜାଗ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି। ବିଭିନ୍ନ ଜନଗହଳି ସ୍ଥାନ ବିଶେଷ କରି ବଜାର ଓ ପିଡିଏସ୍‍ ସାମଗ୍ରୀ ବଣ୍ଟନ ସ୍ଥଳକୁ ଯାଇ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ ସଂଗ୍ରହ କରିବାକୁ ଉପଦେଶ ଦେଉଛନ୍ତି। ବୟସର ଶେଷ ସୀମାରେ ପହଞ୍ଚିଥିଲେ ମଧ୍ୟ ତାଙ୍କର ଏହି ଦୃଢ଼ ମନୋବଳ ତାଙ୍କୁ ଏ ଦିଗରେ କାମ କରିବାକୁ ଅଟକାଇପାରିନି। ଏଥିପାଇଁ ଅଞ୍ଚଳର ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ସମସ୍ତେ ପ୍ରଭାବିତ ହେବା ସହ ସଚେତନ ହୋଇ ତାଙ୍କ ଉପଦେଶ ମାନି ଚଳୁଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories