କାଶ୍ମୀରରେ ବିକ୍ଷୋଭକାରୀଙ୍କ ପାଇଁ ବ୍ୟବହାର ହେବ ପ୍ଲାଷ୍ଟିକ୍‌ ଗୁଳି

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଭାରତୀୟ ଯବାନ ପ୍ଲାଷ୍ଟିକ ଗୁଳି ବ୍ୟବହାର କରିବେ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହିର ମଙ୍ଗଳବାର ଲୋକସଭାରେ ସୂଚନା ଦେଇଛନ୍ତି। କାଶ୍ମୀର ଉପତ୍ୟକାରେ ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡାଇବା ପାଇଁ ସିସା ନିର୍ମିତ ଗୁଳି ପରିବର୍ତ୍ତେ ପ୍ଲାଷ୍ଟିକ ଗୁଳି ବ୍ୟବହାର କରାଗଲେ କ୍ଷୟକ୍ଷତି ଆଶଙ୍କା ହ୍ରାସ ପାଇବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି।

prayash

କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବାବେଳେ ଅଧିକାଂଶ ଘଟଣାରେ ସ୍ଥାନୀୟ ବାସିନ୍ଦା ଯବାନଙ୍କ ଉପରକୁ ଟେକାପଥର ମାଡ କରୁଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯବାନଙ୍କ ପକ୍ଷରୁ କେତେକ କ୍ଷେତ୍ରରେ ବାଧ୍ୟହୋଇ ଗୁଳିଚାଳନା କରିବାକୁ ପଡୁଛି। ଫଳରେ ସାଧାରଣ ଜନତା ମୃତାହତ ହେଉଥିବାର ଦୃଷ୍ଟାନ୍ତ ରହିଛି। ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲେ ପରିସ୍ଥିତି ଅସମ୍ଭାଳ ହୋଇପଡୁଛି।

ନିକଟ ଅତୀତରେ ଜାମ୍ମୁ କାଶ୍ମୀରର କୁପୱାଡା ଜିଲାରେ ଭାରତୀୟ ଯବାନଙ୍କ ଉପରକୁ ଟେକାପଥର ମାଡ କରାଯାଇଥିଲା। ଯବାନମାନେ ପାଲଟା ଗୁଳିଚାଳନା କରିବା ଫଳରେ ତିନିଜଣ ନାଗରିକ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ପାଟ୍ରୋଲିଂ ଦଳର ନେତୃତ୍ୱ ନେଉଥିବା ମେଜର ଆଦିତ୍ୟଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ଏହାକୁ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ମେଜର ଆଦିତ୍ୟଙ୍କ ପିତା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ମେଜର ଆଦିତ୍ୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ନିର୍ଦେଶ ଦେଇସାରିଛନ୍ତି।

Leave A Reply