ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ ରାଜ୍ୟସଭା ପରେ ମଙ୍ଗଳବାର ଲୋକସଭାର ସ୍ୱୀକୃତି ଲାଭ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଲାଗି ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ ୨୦୧୯ ଅନ୍ତର୍ଗତ ଦୁଇଟି ସଂକଳ୍ପ ଏବଂ ଓ ଦୁଇଟି ବିଲ ବିଚାର ଏବଂ ଗୃହୀତ କରିବା ନିମନ୍ତେ ଉପସ୍ଥାପନ କରିଥିଲେ। ଦୀର୍ଘ ସମୟ ଧରି ବିତର୍କ ଓ ଆଲୋଚନା ପରେ ଲୋକସଭାରେ ବହୁମତରେ ଏହା ଗୃହୀତ ହୋଇଥିଲା।
ଆଲୋଚନାର ଉତ୍ତର ଉପସ୍ଥାପନ କରି ଶାହ କହିଥିଲେ, ସରକାର ଦେଶର କଲ୍ୟାଣ ପାଇଁ ନିଷ୍ପତି ନେବାରେ ପଛକୁ ହଟିବେ ନାହିଁ। ସରକାରଙ୍କ ଉଦ୍ଦେଶ୍ୟ କାଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା କରିବା, ଘାଟିର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା। ଯାହା ଫଳରେ ଭାରତର ଅନ୍ୟ ଭାଗ ଭଳି କାଶ୍ମୀରରେ ବିକାଶ ହୋଇପାରିବ।
ସାରା ଦିନର ବିତର୍କରେ କେହି ସଦସ୍ୟ ଧାରା ୩୭୦ର ଲାଭ ବିଷୟରେ କହିନଥିଲେ କାରଣ ୩୭୦ର କୌଣସି ଲାଭ ନ ଥିବା ସେ କହିଥିଲେ। ଧାରା ୩୭୦ ମହିଳା ବିରୋଧୀ, ଗରିବ ବିରୋଧୀ ଏବଂ ଆଦିବାସୀ ବିରୋଧୀ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ। ଶାହ ଗୃହରେ କହିଥିଲେ, କାଶ୍ମୀର ଲୋକମାନେ ଆମର, ଆମେ ସେମାନଙ୍କୁ କୋଳେଇ ନେବୁ। ଯଦି ସେମାନଙ୍କ ମନରେ କୌଣସି ସନ୍ଦେହ ରହିଛି ତା’ହେଲେ ଆମେ ଆଲୋଚନା କରିବୁ। କିନ୍ତୁ ପାକିସ୍ତାନର କୃପା ଳାଭ କରୁଥିବା ଲୋକଙ୍କ ସହିତ କୌଣସି ଆଲୋଚନା ହେବ ନାହିଁ କି ହୁରିୟତ ସହ କୌଣସି ଆଲୋଚନା ହେବ ନାହିଁ ବୋଲି ସେ କହିଥିଲେ।
ଧାରା ୩୭୦ ଭଳି ଅସ୍ଥାୟୀ ବ୍ୟବସ୍ଥାରେ କେବଳ ତିନୋଟି ପରିବାର ଲାଭ ପାଇଥିବା ଶାହ କହିବା ସହ ଏହାକୁ ଉଚ୍ଛେଦ କରାଯିବା ପରେ ଜାମ୍ମୁ-କାଶ୍ମୀରରେ ଘରୋଇ ନିବେଶର ମାର୍ଗ ଖୋଲିବ, ବିକାଶ ସମ୍ଭାବନା ବୃଦ୍ଧି ପାଇବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ।



