ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଐତିହାସିକ ଉପଭୋକ୍ତା ସୁରକ୍ଷା ବିଲ, ୨୦୧୯ ମଙ୍ଗଳବାର ସଂସଦର ଅନୁମୋଦନ ଲାଭ କରିଛି। ଏହାଦ୍ୱାରା ଉପଭୋକ୍ତା ବିବାଦର ସମୟୋପଯୋଗୀ ସମାଧାନ ସମ୍ଭବ ହୋଇପାରିବ। ଏହି ବିଲ ଗତ ଜୁଲାଇ ୩୦ରେ ଲୋକସଭାରେ ଗୃହୀତ ହୋଇଥିଲା। ଏବଂ ଆଜି ବାଚନିକ ଭୋଟରେ ଏହା ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ତିନି ଦଶନ୍ଧି ପୁରୁଣା ଉପଭୋକ୍ତା ଅଧିକାର ଆଇନ, ୧୯୮୬ ସ୍ଥାନରେ ଏହି ବିଲ ଲାଗୁ ହେବ।
ଏହି ବିଲକୁ ରାଜ୍ୟ ସଭାର ବିବେଚନା ଓ ଗୃହୀତ କରିବା ଉଦ୍ଦେଶ୍ୟରେ ଆଗତ କରି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାଶୱାନ କହିଥିଲେ ଯେ ନୂଆ ଆଇନ ଆସିବା ଫଳରେ ଉପଭୋକ୍ତାଙ୍କ ଅଭିଯୋଗ ସମାଧାନ ପ୍ରକ୍ରିୟା ସହଜ ହେବ। ପାଶୱାନ କହିଥିଲେ ଯେ ଏହି ବିଲ ଉପଭୋକ୍ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ଲାଗି ଉନ୍ନତ ବ୍ୟବସ୍ଥା ଯୋଗାଇ ଦେବ। ଫଳରେ ସାରା ଦେଶରେ ଥିବା ଉପଭୋକ୍ତା ଅଦାଲତଗୁଡ଼ିକରେ ପଡ଼ି ରହିଥିବା ବହୁସଂଖ୍ୟକ ମାମଲାର ସମାଧାନରେ ସହାୟତା ମିଳିପାରିବ। ପାଶୱାନ ଆହୁରି କହିଥିଲେ, ଦୀର୍ଘଦିନ ଧରି ଏହି ବିଲ ଆଇନରେ ପରିଣତ ହେବା ଲାଗି ପଡ଼ିରହିଥିଲା। କେବଳ ୫ଟି ସୁପାରିସକୁ ଛାଡ଼ି ବିଲ ସଂକ୍ରାନ୍ତରେ ସଂସଦୀୟ ଷ୍ଟାଣ୍ଡିଂ କମିଟି କରିଥିବା ସମସ୍ତ ସୁପାରିସକୁ ଏଥିରେ ସାମିଲ କରାଯାଇଛି। ପାଶୱାନ ଆହୁରି ମଧ୍ୟ ସଂସଦର ସମସ୍ତ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେମାନଙ୍କ ପରାମର୍ଶ ଆଇନର ବ୍ୟବସ୍ଥା ମଧ୍ୟରେ ରହି ନିୟମାବଳୀରେ ଯଥା ସମ୍ଭବ ସାମିଲ କରାଯିବ।
ଏହି ବିଲରେ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଏକ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପ୍ରତିଷ୍ଠା କରାଯିବା ଲାଗି ପ୍ରସ୍ତାବ ରହିଛି। ଅନୈତିକ ବାଣିଜ୍ୟ କାରବାର କାରଣରୁ ଉପଭୋକ୍ତାମାନେ ଭୋଗୁଥିବା ସମସ୍ୟା ନିରାକରଣ ଦିଗରେ ସିସିପିଏ ହସ୍ତକ୍ଷେପ କରିପାରିବେ। ଏହି ସଂସ୍ଥା ଉତ୍ପାଦ ଫେରାଇ ନେବା ସହ ଟଙ୍କା ଫେରସ୍ତ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏହି ବିଲରେ ବିବାଦ ସମାଧାନ ପ୍ରକ୍ରିୟାର ସରଳୀକରଣ ଉପରେ ଗୁରୁତ୍ୱାରୋପ କରାଯାଇ ମଧ୍ୟସ୍ଥତା ଏବଂ ମାମଲାଗୁଡ଼ିକର ଇ-ଫାଇଲିଂ ବ୍ୟବସ୍ଥା କରାଯାଇଛି।
ଉପଭୋକ୍ତାମାନେ ନିଜ ନିଜ ନ୍ୟାୟିକ କ୍ଷେତ୍ର ନିକଟବର୍ତୀ କମିଶନଙ୍କ ନିକଟରେ ମାମଲା ଦାୟର କରିବାରେ ସଫଳ ହୋଇପାରିବେ। ଏହି ବିଲ ମିଥ୍ୟା ବିଜ୍ଞାପନ କିମ୍ବା ଅପମିଶ୍ରଣ ଉପରେ ଅଙ୍କୁଶ ଲାଗାଇବା ପାଇଁ ସିସିପିଏକୁ କ୍ଷମତା ପ୍ରଦାନ କରିଛି।



