ସତ ମାନିଲେ ସ୍ବାସ୍ଥ୍ୟମନ୍ତ୍ରୀ : ଝାଡ଼ାବାନ୍ତି ନେଲାଣି ୧୭ ଜୀବନ
ଭୁବନେଶ୍ବର : ରାୟଗଡ଼ା ଜିଲାର କାଶୀପୁରରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଓ ହଇଜା ଏବେ ୭ଟି ଜିଲାରେ କାୟାବିସ୍ତାର କରିସାରିଛି। ଇତିମଧ୍ୟରେ ଏଥିରେ ୪୩୨ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି। ସରକାରୀ ତଥ୍ୟ ଏହା କହୁଛି। ତେବେ ବେସରକାରୀ ଭାବେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ଏହାଠାରୁ କାହିଁ କେତେ ଅଧିକ ବୋଲି ବିରୋଧୀ ଅଭିଯୋଗ କରିଛି। ତେବେ ଯାହା ହେଉ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଶେଷରେ ଝାଡ଼ାବାନ୍ତି ଓ ହଇଜା ବ୍ୟାପକତାକୁ ପବିତ୍ର ବିଧାନସଭାରେ ସ୍ବୀକାର କରିବା ସହ ସତ ମାନିଛନ୍ତି।
ମାତ୍ର ୧୭ ଦିନ ପୂର୍ବରୁ ରାୟଗଡ଼ା ଜିଲାର କାଶୀପୁର ଅଞ୍ଚଳରୁ ଆରମ୍ଭ ହୋଇଥିବା ହଇଜା କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି ଓ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲା ଝାରସୁଗୁଡାରେ କାୟାବିସ୍ତାର କରିଛି। ଏବେ ବି ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦୂଷିତ ପାଣି ଯୋଗୁଁ ବ୍ୟାପୁଥିବା ଏହି ଜଳବାହିତ ରୋଗ ହଇଜାକୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ନିୟନ୍ତ୍ରଣ କରିବାରେ ସରକାର ସକ୍ଷମ ହୋଇ ନ ପାରିବା ଚିନ୍ତା ବଢାଇଛି। ଏପିରିକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ୨ ଜଣଙ୍କର ହଇଜାରେ ମୃତ୍ୟୁ ହୋଇଥିବା ସ୍ବୀକାର କରିଛନ୍ତି।
ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ ଏ ସଂକ୍ରାନ୍ତରେ ବିବୃତ୍ତି ରଖି କହିଛନ୍ତି ଯେ, ରାଜ୍ୟରେ ଚଳିତବର୍ଷ ପ୍ରଥମ ଡାଇରିଆ ଜୁଲାଇ ୧୩ ତାରିଖରେ ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ନଜରକୁ ଆସିଥିଲା। ଏପର୍ଯ୍ୟନ୍ତ କାଶୀପୁରର ୫ ପଞ୍ଚାୟତର ୧୧ଟି ଗାଁରୁ ୧୫୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେଥିରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଜିଲାର
ବିଭିନ୍ନ ହସ୍ପିଟାଲରେ ୫୫ ଜଣ ଚିକିତ୍ସିତ ହେଉଛନ୍ତି। ୬ଜଣ ଡାକ୍ତର ଓ ଜିଲାର ମହାମାରୀ ନିୟନ୍ତ୍ରଣ ଦଳ ସେଠାରେ କାର୍ଯ୍ୟ ତଦାରଖ କରୁଛି। ୮ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି। ରାଜ୍ୟସ୍ତରରୁ ୨ ଯୁଗ୍ମ ନିର୍ଦେଶକ ଏହି ଅଞ୍ଚଳ ଗୁଡ଼ିକରେ କାର୍ଯ୍ୟ ତଦାରଖ କରିଥିବା ବେଳେ ୨୦୨ଟି ଜଳ ନମୂନା ଓ ୧୭୪ଟି ମଳ ନମୂନା ପରୀକ୍ଷା କରାଯାଇଛି। ତୁରନ୍ତ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ପଦକ୍ଷେପ ନିଆଯାଉଛି ଓ ଅବସ୍ଥା ଶୀଘ୍ର ସୁଧୁରିବ ବୋଲି ଶ୍ରୀ ଦାସ ଗୃହକୁ ଆଶ୍ବସ୍ତ କରିଛନ୍ତି।
ସେହିପରି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ୫ଟି ଗାଁରେ ୮୩ ଜଣ ହଇଜା ଆକ୍ରାନ୍ତ ହୋଇଥିବାବେଳେ ତନ୍ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ୨ଟି ଗାଁରେ ଜୁଲାଇ ୨୧ରୁ ୪୪ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି ଓ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ସୋନପୁର ଜିଲା ଡୁଙ୍ଗୁରିପାଲି ଓ ତରଭା ବ୍ଲକରେ ୬୪ ଜଣ ଆକ୍ରାନ୍ତ ଓ ଜଣକର ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ବ୍ଲକର ଗୋଟିଏ ଗାଁରୁ ଜୁଲାଇ ୨୭ ପରଠୁ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି ଓ ଜଣେ ପ୍ରାଣ ହରାଇଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ା ସହରର ୧୩ ନମ୍ବର ୱାର୍ଡରୁ ୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଶ୍ରୀ ଦାସ ଗୃହରେ ତଥ୍ୟ ରଖିଛନ୍ତି। ତେବେ ସ୍ଥିତି ଅନୁଧ୍ୟାନ କରିବା ଲାଗି ସେ ଅନୁସୂଚୀତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କାଶୀପୁର ଯାଇଥିଲେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଝାଡାବାନ୍ତି ରୋକିବାକୁ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ପ୍ରଶାସନ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ଏହା ଗୋଟିଏ ପରେ ଗୋଟିଏ ଜିଲାକୁ ବ୍ୟାପିବା ବ୍ୟବସ୍ଥାର ବିକଳ ଚିତ୍ର ଓ ଦୁର୍ବଳ ଭିତ୍ତିଭୂମିକୁ ପ୍ରତିଫଳିତ କରୁଥିବା ବିରୋଧୀ ଅଭିଯୋଗ ଉଠାଇଛନ୍ତି। ସରକାର ସମସ୍ତଙ୍କୁ ଦୁଆର ମୁହଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ସମେତ ନିଜସ୍ବ ବସୁଧା ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଦୂଷିତ ପାଣି ପିଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ଘଟଣା ଯୋଜନାର କ୍ରିୟାନ୍ବୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପଟେ ହଇଜା ନିୟନ୍ତ୍ରଣରେ ରହିଛି ବୋଲି ଖୋଦ୍ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଉଥିବାବେଳେ ଏଣେ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଅସଲ ଚିତ୍ର ଆଙ୍କିବା ସ୍ବାସ୍ଥ୍ୟ ପ୍ରଶାସନର ସମନ୍ବୟ ଅଭାବକୁ ପ୍ରତିଫଳିତ କରିଛି। ବିଶୁଦ୍ଧ ପାଣି ନ ପାଇଁ ନୀରିହ ଲୋକେ ଝାଡ଼ାବାନ୍ତିରେ ପ୍ରାଣ ହରାଇବା ଘଟଣାକୁ ବିରୋଧୀ ଦଳର ସଭ୍ୟମାନେ ସମାଲୋଚନା କରିଛନ୍ତି। ଏପରିକି ସରକାର ଯୋଗାଉଥିବା ପାନୀୟ ଜଳରେ ଗୋଟିଏ ଅଞ୍ଚଳରୁ ମଧ୍ୟ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ଖବର ଅଧିକ ଚିନ୍ତା ବଢାଇଛି।
Comments are closed.