କର୍ଣ୍ଣାଟକ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ

0

ବେଙ୍ଗାଲୁରୁ: କର୍ଣ୍ଣାଟକର ଜୟନଗର ବିଧାନସଭା ମଣ୍ଡଳି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ୍ଡୀ ଜୟଯୁକ୍ତ ହୋଇଛନ୍ତି। ଗତ ମେ’୧୨ତାରିଖରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଦିନକୁ ପୂର୍ବରୁ ବିଜେପି ପ୍ରାର୍ଥୀ ତଥା ବିଧାୟକ ବି ଏନ୍‍ ବିଜୟକୁମାରଙ୍କ ମୃତ୍ୟୁ ଘଟିବା ପରେ ସେହି ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।
ଗତ ସୋମବାର ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ଭୋଟଗଣନା ଆରମ୍ଭ ହୋଇଥିଲା। ୧୬ ରାଉଣ୍ଡ ଗଣତି ପରେ ସୌମ୍ୟା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବି ଏନ୍‍ ପ୍ରହ୍ଲାଦ ବାବୁଙ୍କୁ ୨,୮୮୯ ଭୋଟରେ ହରାଇ ଦେଇଥିବା ନିର୍ବାଚନ କମିଶନ୍‍ଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା ଜୟନଗର ଆସନରୁ ଚାରି ଥର ଜିତିଥିବା ରାମଲିଙ୍ଗା ରେଡ୍ଡୀଙ୍କ ଝିଅ ସୌମ୍ୟାଙ୍କୁ ଏଥର କଂଗ୍ରେସ ହାଇକମାଣ୍ଡ ଟିକେଟ୍‍ ଦେଇଥିବା ବେଳେ ସେ ଉଭୟ ହାଇକମାଣ୍ଡ ଓ ଲୋକଙ୍କ ଆସ୍ଥା ଜିତିପାରିଛନ୍ତି ବୋଲି ରାମଲିଙ୍ଗା କହିଛନ୍ତି। ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ଜେଡିଏସ୍‍ ନିଜ ପ୍ରାର୍ଥୀ ପ୍ରତ୍ୟାହାର କରି ନେଇଥିଲା। ସେଠାରେ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଇଥିଲେ। ଅପରପକ୍ଷରେ ବିଜୟକୁମାରଙ୍କ ଭାଇ ପ୍ରହ୍ଲାଦଙ୍କୁ ବିଜେପି ସେଠାରେ ଟିକେଟ୍‍ ଦେଇଥିଲା। ସବୁଥର ତୁଳନାରେ ଏଥର ତୁଳନାତ୍ମକ ଭାବେ ଅଧିକ ଭୋଟର ଭୋଟ ଦେଇଥିବା ଜଣାପଡ଼ିଛି।

Leave A Reply