ଯୌତୁକ ଜନିତ ବଧୂ ଆତ୍ମହତ୍ୟା ମାମଲାବିଚାର: ସ୍ବାମୀ ଓ ଶାଶୁଙ୍କୁ ୧୦ବର୍ଷ ଲେଖାଏଁ ଜେଲ ଦଣ୍ଡ ରାୟ ଶୁଣାଇଲେ ଏଡିଜେ କୋର୍ଟ

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ଯୌତୁକ ନିର୍ଯାତନା ମାମଲା ବିଚାରକରି ବିଚାରଧୀନ ଅଭିଯୁକ୍ତ ସ୍ବାମୀ ଓ ଶାଶୁଙ୍କୁ ୧୦ବର୍ଷ ଜେଲଦଣ୍ଡ ଓ ୧୫ହାଜର ଟଙ୍କା ଲେଖାଏଁ ଜୋରିମାନା ଶୁଣାଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ସହର ଉପକଣ୍ଠ କାଦୋପଡ଼ା ସ୍ଥିତ ସୁରେଶ ଘିବେଲାଙ୍କ ଝିଅ ପିଙ୍କି ଘିବେଲା ଗତ ୨୦୧୧ ମସିହାରେ ଧୋବାପଡାର ପୂର୍ଣ୍ଣ ବଗର୍ତ୍ତୀ(୪୦)ଙ୍କୁ ବୈଦିକ ରୀତିରେ ବିଵାହ କରିଥିଲେ। ବିବାହର ୩ ମାସ ପରେ ଯୌତୁକ ପାଇଁ ସ୍ବାମୀ ପୂର୍ଣ୍ଣ ଓ ଶାଶୁ ଲାଳଦେଇ ପିଙ୍କିଙ୍କୁ ନିର୍ଯାତନା ଦେଇଆସୁଥିଲେ। ଉଭୟଙ୍କ ନିର୍ଯାତନା ସହି ନପାରି ପିଙ୍କି ଶେଷରେ ଆତ୍ମହତ୍ୟା କରିଥିଲେ। ଝିଅର ଆତ୍ମ ହତ୍ୟା ଖବର ପାଇ ବାପା ସୁରେଶ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପାଇଲା ପରେ ତଦନ୍ତ ଆରମ୍ଭ କରି, ମାଆ ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ, ଉଭୟ ଙ୍କ ଜାମିନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜାମିନ ଆବେଦନ ନାମଞ୍ଜୁର କରିବାପରେ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆ ଯାଇଥିଲା। ଏହି ମାମଲା ଅତିରିକ୍ତ ଜିଲା ଦୌରା ଜଜଙ୍କ କୋର୍ଟକୁ ବିଚାର ପାଇଁ ସ୍ଥାନାନ୍ତର ହୋଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ପୂର୍ଣ୍ଣ ଓ ମାଆ ଲାଳଦେଇଙ୍କୁ ଜାମିନ ମିଳିବା ପରେ ଜେଲରୁ ମୁକୁଳି ଥିଲେ। ଏହି ମାମଲା ବିଚାର ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟରେ ଚାଲୁଥିଲା। ପୁଲିସ, ଡାକ୍ତର ଓ ସମସ୍ତ ସାକ୍ଷୀମାନଙ୍କ ଜମାନବନ୍ଦୀ ଏବଂ ଅଭିଯୁକ୍ତଙ୍କ ଓକିଲ ଓ ସରକାରୀ ପକ୍ଷ ଓକିଲଙ୍କ ଜବାବସୁଆଲ ଶୁଣିବା ପରେ, ଉଭୟ ମା ଓପୁଅ ଙ୍କୁ ଏହି ମାମଲାରେ କୋର୍ଟ ଦଣ୍ଡାଦେଶ ଦେଇଥିବା ଜଣାପଡିଛି। ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ମନୋଜ ଦାସ ଏବଂ ସରକାରୀ ଓକିଲ କାନନ କିଶୋର ପଣ୍ଡା ମକଦମା ପରିଚାଳନା କରୁଥିଲେ।

kalyan agarbati

Comments are closed.