ବର୍ଷା ଭାଙ୍ଗିଦେଲା ଘର; ସହଯୋଗର ହାତ ବଢ଼ାଇଲା ସେବା ସେନା

କଲ୍ୟାଣସିଂହପୁର: ଗତ କିଛି ଦିନ ତଳେ ଲଗାଣ ବର୍ଷାରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କରପା ପଞ୍ଚାୟତର ସୁଳିପଦର ଗ୍ରାମର ମାଳିସାହି ବାସିନ୍ଦା ଶିବ ମାଣ୍ଡାଙ୍ଗଙ୍କ ଘରର ଏକ କାନ୍ଥ ଭାଙ୍ଗି ପଡ଼ିଯାଇଥିଲା । ଯାହା ଦ୍ଵାରା ପରିବାର ଲୋକ ସମ୍ପର୍କୀୟ ଘର ପିଣ୍ଡାରେ ରହି ଚାରି ପାଞ୍ଚ ଦିନ ବିତିଗଲା ପରେ ବି ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳି ନଥିଲା । ଏହି ଖବର ପ୍ରକାଶ ପାଇବା ପରେ ସ୍ବେଚ୍ଛାସେବୀ ସଂଗଠନ ‘ସେବା ସେନା’ର ଜିଲ୍ଲା ସଭାପତି  ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଉକ୍ତ ପରିବାର ପାଖରେ ପହଞ୍ଚି ଚାଉଳ, ପନିପରିବା ଓ ନିତ୍ୟବ୍ୟବହାର ଜିନିଷ ସହ କିଛି ଆର୍ଥିକ ସହଯୋଗ ରାଶି ପ୍ରଦାନ କରିଛନ୍ତି ।

ଏହି ସମୟରେ ବୁଡ଼ାଗୁଡ଼ା ପଞ୍ଚାୟତ ସଭାପତି ବିଶ୍ୱନାଥ ହିକକା, କୋଷାଧ୍ୟକ୍ଷ ଗଙ୍ଗାରାଓ ପ୍ରାସ୍କାଙ୍କ ସହ କରପା ପଞ୍ଚାୟତ ସଭାପତି କୁମାରୀ ସସ୍ମିତା କାଡ୍ରାକା, ସମ୍ପାଦକ କୁମାରୀ ନନ୍ଦିନୀ ନାଚିକା ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଥିଲେ।

Comments are closed.