କଲ୍ୟାଣସିଂହପୁର: ଭୁଲ ଏତିକି ଯେ, ରକ୍ତ ସମ୍ପର୍କରେ ପ୍ରେମ କରି ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ। ବାସ ଏତିକିରେ ତାତି ଉଠିଲେ ପ୍ରେମୀ ଯୁଗଳଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ। ଗୋଟିଏ ବଂଶର ହେବା ସହିତ ସେମାନେ ସଂପର୍କରେ ପିଉସୀ ଓ ପୁତୁରା ହୋଇଥିବାରୁ ଏହାକୁ ନେଇ ଗଁା’ରେ ନିଶାପ ବସିଲା। ଆଦିବାସୀ ପରମ୍ପରାରେ ଗୋଟିଏ ବଂଶରେ ବିବାହ ଆଦୌ ଗ୍ରହଣୀୟ ନୁହେଁ; ପୁଣି ପିଉସୀ ଓ ପୁତୁରାକୁ ସଂପର୍କରେ ମା’-ପୁଅ ଭାବେ ଦେଖାଯାଏ। ତେଣୁ ରକ୍ତ ସମ୍ପର୍କକୁ ଭୁଲି ଗୋଟିଏ ବଂଶରେ ଏଭଳି ପ୍ରେମ ସମ୍ପର୍କ ସ୍ଥାପନକୁ ଗ୍ରାମବାସୀ ପରମ୍ପରା ଉଲ୍ଲଂଘନ ବୋଲି ମତପ୍ରକାଶ ପାଇଥିଲା। ତେଣୁ ଆଦିବାସୀ ପରମ୍ପରା ଅନୁସାରେ ସେମାନଙ୍କୁ ଦଣ୍ଡ ସ୍ବରୂପ ଚଲାଇ ଚଲାଇ ନେଇ ପ୍ରଥମେ ଧରଣୀ ପେନୁଙ୍କଠାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସେମାନଙ୍କ କାନ୍ଧରେ ବଳଦ ପରି ଜୁଆଳି ଯୋଖି ଜମି ଚାଷ ପାଇଁ ବାଧ୍ୟ କରାଇଥିଲେ। ଦଣ୍ଡ ଏତିକିରେ ସୀମିତ ନଥିଲା, ଗ୍ରାମବାସୀ ଚାନ୍ଦା ବାବଦରେ ସଂଗୃହୀତ କିଛି ଅର୍ଥ ପ୍ରଦାନ କରି ଉଭୟଙ୍କୁ ଗ୍ରାମରୁ ତଡ଼ିପାର କରି ଦେଇଛନ୍ତି। ଏବେ ଏହି ପ୍ରେମୀଯୁଗଳ କେଉଁଠି ତାର ମଧ୍ୟ କିଛି ଖୋଜଖବର ନାହିଁ। ଏଭଳି ଏକ ଘଟଣା ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ ଅନ୍ତର୍ଗତ କଞ୍ଜାମଯୋଡି ଗ୍ରାମେର ଘଟିଯାଇଛି। ଏହି ତମାମ ଘଟଣାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଭାଇରାଲ ହୋଇଛି।
ରାୟଗଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ରହିଛି ପୁରାତନ ପରମ୍ପରା। ପରମ୍ପରା ଭଙ୍ଗ ହେଲେ ବସେ କଙ୍ଗାରୁ କୋର୍ଟ। ସେଠାକାର ଆଦେଶ ମୁତାବକ ମିଳିଥାଏ ଦଣ୍ଡ। ଯାହାକି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର କଞ୍ଜାମଯୋଡ଼ି ଗାଁରେ ଦେଖିବାକୁ ମିଳିଛି।
ସୂଚନା ମୁତାବକ କଞ୍ଜାମଯୋଡ଼ି ଗ୍ରାମର ମୁଗି ସାରାକଙ୍କ ବଡ଼ପୁଅ କାଡ଼ିଆ ସାରକାଙ୍କ ସହ ବେତକଲାଙ୍ଗ ଗ୍ରାମରେ ରହୁଥିବା ମୁଗିଙ୍କ ଭଉଣୀ ଲାକ ସାରକାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦିନେ ଉଭୟଙ୍କୁ ଏକତ୍ରିତ ଅବସ୍ଥାରେ ଗାଁ ଲୋକେ ଦେଖିଥିଲେ। ଏହାକୁ ନେଇ ଉଭୟଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀଙ୍କୁ ନେଇ ବୈଠକ ବସିଥିଲା। ରକ୍ତ ସମ୍ପର୍କରେ ଗୋଟିଏ ବଂଶରେ ପ୍ରେମ ସମ୍ପର୍କ ସ୍ଥାପନକୁ ଗ୍ରାମବାସୀ ପରମ୍ପରା ଉଲ୍ଲଂଘନ ବୋଲି କହିବା ଏହି ଯୁବକ ଯୁବତୀଙ୍କ କାନ୍ଧରେ ଯୁଆଳି ଯୋଖି ହଳ କରିବାକୁ ବାଧ୍ୟ କରିଥିଲେ। ଏହା ପରେ ଗ୍ରାମବାସୀ ଚାନ୍ଦା ବାବଦରେ ସଂଗୃହୀତ କିଛି ଅର୍ଥ ଦେଇ ପ୍ରେମୀଯୁଗଳଙ୍କୁ ଦେଇ ଗାଁରୁ ତଡି ଦେଇଥିଲେ। ଦୁହେଁ ଗ୍ରାମ ଛାଡି ବାହାରକୁ ଚାଲି ଯାଇଛନ୍ତି। ତେବେ ପ୍ରେମୀଯୁଗଳ କିଛିଦିନ ବାହାରେ ରହିବା ପରେ ପୁଣି ଫେରି ଆସିବେ ବୋଲି ଗ୍ରାମର ବିଶ୍ୱନାଥ କୃଷିକା, ୱାର୍ଡସଦସ୍ୟ ଶ୍ୟାମଧର ମିଣିଆକା, ପୁରନ୍ଧର ଓ ସୁବାସିନୀ ରଣା ପ୍ରମୁଖ କହିଛନ୍ତି।



