ଶିଶୁ ନିଖୋଜ ଘଟଣା: ପୁଲିସ ଓ ଯବାନଙ୍କ ମିଳିତ ତଦନ୍ତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡିମାଳ ୧୫ନମ୍ବର ୱାର୍ଡର ନାଗବଂଶ ଅଜିତଙ୍କ ୧ ବର୍ଷ ୬ ମାସର ପୁଅ ନିଖୋଜ ଘଟଣାରେ ସୋମବାର ସ୍ଥାନୀୟ ପୁଲିସ ଓ ଯବାନ ମିଳିତ ଭାବେ ଗ୍ରାମରେ ତଦନ୍ତ କରିଛନ୍ତି। ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କ ସମେତ ଥାନା କର୍ମଚାରୀ ଓ ଯବାନ ଗ୍ରାମର କିଛି ଲୋକମାନଙ୍କୁ ନେଇ ଘାଗୁଡିମାଳ ଗ୍ରାମ ସହିତ ନିକଟସ୍ଥ ପାହାଡ଼, ନାଳ, ଗୁଡ଼ିଆ, ବଣ ଜଙ୍ଗଲ ସବୁ ଖୋଜାଖୋଜି କରିଥିଲେସୁଦ୍ଧା କୌଣସି ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ। ଶିଶୁକୁ କିଏ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି। ବାହାର ରାଜ୍ୟରୁ ଅଞ୍ଚଳକୁ ଆସିଥିବା ବ୍ୟବସାୟୀମାନଙ୍କୁ ଡକାଇ ତଦନ୍ତ କଲେ ସଠିକ ଖବର ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଆଜକୁ ସାତ ଦିନ ହେବ ପୁଲିସ ଶିଶୁକୁ ଖୋଜୁଛି। ୧୧ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଶିଶୁଟି ନିଖୋଜ ହୋଇଥିବା ନେଇ ବୁଧବାର ସକାଳୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୁଲିସ ଘାଗୁଡ଼ିମାଳ ଯାଇ ତଦନ୍ତ କରିଥିଲା। ଏହାପରେ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ହୋଇଥିଲା। ହେଲେ ଶିଶୁର କୌଣସି ସନ୍ଧାନ ମିଳି ନ ଥିଲା। ଆଜି ଯବାନ ଓ ପୁଲିସ ମିଳିତ ଭାବେ ଖୋଜାଖୋଜି କରିଥିଲେ।

Comments are closed.