ଶୁଣିଲାନି ପ୍ରଶାସନ, ଡ୍ରେନ୍ ମରାମତି କଲେ ମହିଳା
କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ଇନ୍ଦିରା କଲୋନୀ ସାହିର ମହିଳା ପୁରୁଷ ମିଶି ଡ୍ରେନ୍ ମରାମତି କରିଛନ୍ତି। ଅଳ୍ପ ବର୍ଷା ହେଲେ ସାହି ମଝିରେ ପାଣି ଜମୁଥିବାରୁ ବାରମ୍ବାର ପଞ୍ଚାୟତକୁ ଜଣାଇ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ସାହି ମଝିରେ ପାଣି ଜମି ବହୁତ ଦୁର୍ଗନ୍ଧ ହେବା ସହ ମଶାମାଛି ବୃଦ୍ଧି ହୋଇ ସାହିର ବହୁତ ଲୋକଙ୍କୁ କାମୁଡ଼ିବାରୁ ଲୋକ ଜ୍ବରରେ ଆକ୍ରାନ୍ତ ହେବାରୁ ବାଧ୍ୟ ହୋଇ ସାହିର ମହିଳାମାନେ ଏକତ୍ରିତ ହୋଇ ଡ୍ରେନ୍ ଖୋଳିବା ପାଇଁ ପ୍ରସ୍ତୁତ ହୋଇଥିଲେ। ମହିଳାମାନେ କେନାଲ ଖୋଳିବାର ଦେଖି ପୁରୁଷମାନେ ମଧ୍ୟ ସହଯୋଗ କରିଥିଲେ। ସରକାର ମରାମତି ନ କରିବାରୁ ତେଜି ଉଠିଥିଲେ ସାହିର ମହିଳାମାନେ। ରାଜ୍ୟ ସରକାର ରାସ୍ତା ଘାଟ ଉନ୍ନତି, ସ୍ବାସ୍ଥ୍ୟ, ଚେକ ଡ୍ୟାମ୍ ଓ ପୋଖରୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏଠାରେ ବର୍ଷା ହେଲେ ଜମି ରହୁଥିବା ଏହି ସାହିର ପାଣି ଯିବା ପାଇଁ ଡ୍ରେନ୍ ମରାମତି କରାଯାଉ ନଥିବା ସାହି ବାସିନ୍ଦା କହିଛନ୍ତି। ତୁରନ୍ତ ଏହି ସାହିରେ ପକ୍କା ଡ୍ରେନ ତିଆରି କରିବାକୁ ଜାନକୀ କୌଶଲ୍ୟା, ବନିତା କୌଶଲ୍ୟା, ମଞ୍ଜୁଳା କୌଶଲ୍ୟା, ଗରମଣି କୌଶଲ୍ୟା, ପାର୍ବତୀ ହିଆଲ, ଧୋବା ହିଆଲ ଓ ସୁଶାନ୍ତ କୌଶଲ୍ୟାଙ୍କ ସମେତ ସାହିବାସୀ ଦାବି କରିଛନ୍ତି।
Comments are closed.