BJD Bijuli 480×75 Mob

ମୌଳିକ ସୁବିଧାରୁ ବଞ୍ଚିତ ରାବୁଗୁଡାବାସୀ, ଭୋଟ୍‌ ବର୍ଜନ ଚେତାବନୀ

BJD Bijuli 480×75 Mob

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଏହାକୁ ନେଇ ଭୋଟ୍‌ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସେମାନେ ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ ନାରା ଦେଉଥିବା ଶୁଣିବାକୁ ମିଳିଛି। ସ୍ଵାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ଗ୍ରାମକୁ ପାନୀୟ ଜଳ, ରାସ୍ତାଘାଟ, ଆବାସ ଯୋଜନା ଭଳି ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ସୋମବାର ରାବୁଗୁଡା ଗ୍ରାମର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ କିଛି କାଠ ଆଣି ଗ୍ରାମରେ ପୋତି ସେହିଠାରେ ଏକ ସୂଚନାଫଳକ ଲଗାଇ ବସିରହି ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ ବୋଲି ନାରା ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ ବୋର୍ଡରେ ରାବୁଗୁଡାଠାରୁ କଲ୍ୟାଣସିଂହପୁର ପ୍ରାୟ ୧ କିମି ପର୍ଯ୍ୟନ୍ତ ରାସ୍ତା, ଗାଧୁଆ ତୁଠ, ଶ୍ମଶାନଘାଟ, ପିଇବା ପାଣି, ଜମିକୁ ପାଣି, ସୋଲାର ଲାଇଟ ବ୍ୟବସ୍ଥା, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, କମିଟି ଗୃହ, ଝାଙ୍କିରି ମଣ୍ଡପ, ଅଙ୍ଗନବାଡି କେନ୍ଦ୍ର, ମିନି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜଙ୍ଗଲ ଜମି ଚିହ୍ନଟ ପାଇଁ ଦାବି ଉଲ୍ଲେଖ କରିଛନ୍ତି। ଏହି ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି ରାସ୍ତା। ଗ୍ରାମରେ ୩୦ ଆଦିବାସୀ ପରିବାର ବସବାସ କରୁଥିବାବେଳେ ୫ ଶହ ଜନସଂଖ୍ୟା ରହିଛି। ପ୍ରାୟ ୨ ଶହ ଭୋଟର ରହିଛନ୍ତି। ଗୋଟିଏ ସୋଲାର ଲାଇଟ୍‌ ଲଗାଯାଇଛି। ତାହା ସନ୍ଧ୍ୟାରେ ଏକ ଘଣ୍ଟା ଜଳିବା ପରେ ଲିଭି ଯାଉଛି। ପାହାଡ଼ ଘେରା ମଧ୍ୟରେ ଗ୍ରାମ ରହିଥିବାରୁ ଗ୍ରାମବାସୀ ଭୟଭୀତ ହେଉଥିବା କହିଛନ୍ତି। ଏତେ ଗୁଡ଼ିଏ ଘରକୁ ଗୋଟିଏ ନଳକୂପ ରହିଛି । ଯାହା ଫଳରେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି  ଗ୍ରାମବାସୀ। ଏମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରି ପରିବାର ଭରଣ ପୋଷଣ କରିଥାନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନଦୀ ନାଳ ପାଣି ସୁଖି ଯାଉଛି। ନଳକୂପରୁ ପାଣି ଠିକ୍‌ରେ ବାହାରୁ ନ ଥିବା ଯୋଗୁଁ ନିକଟରେ ବହିଯାଉଥିବା କ୍ରୀଡ଼ବସା ନାଳ ସୁଖୀ ଯାଇଥିବାରୁ ଏକ ପଥର ସନ୍ଧିରେ କିଛି ପାଣି ବାହାରିଥିବାରୁ ସେହିଠାରେ ଚୁଆଁ କରି ସେହି ପାଣି ବ୍ୟବହାର କରୁଥିବା କହିଛନ୍ତି। ଉକ୍ତ ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଛନ୍ତି।

ବ୍ଲକଠାରୁ ରାବୁଗୁଡା ଗାଁ ପ୍ରାୟ ୧ କିମି ବାଟ ଏବଂ ମଝିରେ କଲ୍ୟାଣୀ ନଦୀ ପାର ହୋଇ ଯିବାକୁ ପଡୁଛି। ବର୍ଷା ଦିନ ହେଲେ ଏହି ଗ୍ରାମବାସୀଙ୍କ ସମେତ ବିଦ୍ୟାର୍ଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଚେତ ରାବୁଗୁଡାଠାରୁ ନାଳ ପାରି ହୋଇ କଅଁରଗୁଡା ଦେଇ ଢେପାଗୁଡା ଛକକୁ ବାହାରି କଲ୍ୟାଣସିଂହପୁରକୁ ଆସିଲେ ପ୍ରାୟ ୭ କିମି ବାଟ ପଡୁଛି। ଗ୍ରାମର ସମସ୍ୟା ନେଇ ପ୍ରଶାସନକୁ ପ୍ରତି ନିର୍ବାଚନ ସମୟରେ ଗୁହାରି କରି ଆସୁଥିଲେ ମଧ୍ୟ ନେତାମାବେ ପ୍ରତିଶ୍ରୁତି ଦେଇ ଭୁଲି ଯାଉଥିବା କହିଛନ୍ତି ଗ୍ରାମବାସୀ। ୨୦୨୩ ମସିହାରେ ଉକ୍ତ ଗ୍ରାମର କର୍ଷିକା ଭୀମ, କର୍ଷିକା ସିଙ୍ଗ, କର୍ଷିକା ଲକି ଓ ରାଜୀବରାଓ ବିଡିକାଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ପାଇଁ ଆସିଥିବାବେଳେ ପଞ୍ଚାୟତ ଅଧିକାରୀମାନେ ଗାଁକୁ ଆସି ଜିଓ ଟେକ କରି ନେବା ପରେ ପୁଣି ତିନି ଥର ଗ୍ରାମକୁ ପରିଦର୍ଶନରେ ଆସି ହିତାଧିକାରୀଙ୍କୁ ବ୍ୟାଙ୍କ ପାସ ବହି ଓ ଆଧାର କାର୍ଡ ମାଗି ନେବାପରେ ନାମ ରିଜେକ୍ଟ ହୋଇଯାଇଛି ବୋଲି କହିଥିବା ଗ୍ରାମବାସୀ କହିଛନ୍ତି। ତେଣୁ ଆମ ଗ୍ରାମକୁ ଯେଉଁ ନିର୍ବାଚନ ଦଳ ପ୍ରଚାର ପାଇଁ ଆସିବ ଓ ଯେଉଁ ଦଳ ଆମର କାମ କରି ଦେବେ ଆମେ ତାଙ୍କୁ ଭୋଟ୍ ଦେବୁ । ନଚେତ ଗ୍ରାମକୁ ରାସ୍ତା, ସୌରଚାଳିତ ନଳକୂପ ନ ହେଲେ ଭୋଟ୍ ଦେବୁ ନାହିଁ ବୋଲି ଗ୍ରାମର ବିଡିକା ରାଇଫୁଲ, ବିଡିକା ସମ୍ବାରୁ, ଦୀପାଇ କର୍ଷିକା, ସାପାଇ କର୍ଷିକା, ପ୍ରିୟଙ୍କା କର୍ଷିକା, କର୍ଷିକା ବୁଦ୍ରା କର୍ଷିକା ବାଣୁଆ, କର୍ଷିକା ସାତି ପ୍ରମୁଖ ଚେତାବନୀ ଦେଇଛନ୍ତି।

Comments are closed.