www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ବକପ୍ ଉଦ୍‍ଘାଟନୀ ଉତ୍ସବ ଟିକଟ ପାଇଁ ହକିପ୍ରେମୀ ନାକେଦମ୍‍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ହକି ବିଶ୍ୱକପ୍‍ ଲାଗି ଭୁବନେଶ୍ୱରରେ ୨୭ରେ ଉଦ୍‍ଘାଟନୀ ଉତ୍ସବ ଏବଂ ୨୮ରେ ବିଶ୍ୱକପ୍‍ ଉତ୍ସବ ଅନୁଷ୍ଠିତ ହେବ। ଉଭୟ ଉତ୍ସବ ପାଇଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ଅନ୍‍ଲାଇନ୍‍ରେ ଟିକଟ ବିକ୍ରି ଆରମ୍ଭ ହୋଇଥିଲା। ଟିକଟ କିଣିବା ଲାଗି ଦର୍ଶକମାନେ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍‍ ସହ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଦୀର୍ଘ ସମୟ ଧରି ୱେବ୍‍ସାଇଟ୍‍ର ପେଜ୍‍ ଖୋଲିନଥିଲା। କିଛି ସମୟ ପରେ ଖୋଲିଥିବା ବେଳେ ଧାଡ଼ି (କ୍ୟୁ)ରେ ରହିବାକୁ କୁହା ଯାଇଥିଲା। କଳିଙ୍ଗ ଷ୍ଟାଡିୟମ୍‍ରେ ହେବାକୁ ଥିବା ଉଦ୍‍ଘାଟନୀ ଉତ୍ସବ ଲାଗି ଟିକଟ କିଣିବା ପେଜ୍‍ ଖୋଲିବାର ମାତ୍ର ଅଧ ଘଣ୍ଟା ପରେ ବନ୍ଦ ହୋଇଯିବା ସହିତ ‘ସୋଲଡ୍‍ ଆଉଟ୍‍’ ଲେଖା ଯାଇଥିଲା। ମାତ୍ର ୩୦ ମିନିଟ୍‍ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ବ ଟିକଟ ବୁକିଂ ହୋଇଯିବା ନେଇ ହକିପ୍ରେମୀ ବିଶ୍ୱାସ କରି ପାରୁନାହାନ୍ତି। ପୁଣି ଟିକଟ ବୁକିଂ କରିଥିବା କିଛି ହକିପ୍ରେମୀଙ୍କ ଟଙ୍କା କଟିଯାଇଥିଲେ ମଧ୍ୟ ଟିକଟ ବୁକିଂ ନେଇ କୌଣସି ଇ-ମେଲ୍‍ ସେମାନଙ୍କୁ ମିଳିନଥିଲା।
କିଭଳି ଏତେ କମ୍‍ ସମୟ ଭିତରେ ଭୁବନେଶ୍ୱର ଟିକଟ ବୁକିଂ କରାଗଲା; ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ବାରବାଟୀ ଷ୍ଟାଡ଼ିୟମ ଉଦ୍‍ଘାଟନୀ ଉତ୍ସବ ନେଇ ମଧ୍ୟ ହକିପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ପଡ଼ିଆର ଟିକଟ ୫୦୦ ଟଙ୍କା ରହିଥିଲେ ମଧ୍ୟ ସମସ୍ତ ଟିକଟ ଅପରାହ୍‍ଣ ସୁଦ୍ଧା ବିକ୍ରି ହୋଇ ଯାଇଥିବା ସୂଚିତ ହୋଇଥିଲା। କ୍ଲବ୍‍ ହାଉସ୍‍ ଓ ସ୍ପେଶିଆଲ୍‍ ଏନ୍‍କ୍ଲୋଜୟର ଟିକଟ ସରି ଯାଇଥିବା ବେଳେ ୧୦୦ ଟଙ୍କା ମୂଲ୍ୟ ରହିଥିବା ୧, ୨, ୫, ୬, ଓ ୭ ନମ୍ବର ଗ୍ୟାଲେରୀ ଟିକଟ ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ବିକ୍ରି ଜାରି ରହିଥିଲା। ଉଭୟ କଳିଙ୍ଗ ଷ୍ଟାଡ଼ିୟମ ଓ ବାରବାଟୀ ଷ୍ଟାଡ଼ିୟମ ଟିକଟ ଲାଗି ୮୦ ହଜାର ହକିପ୍ରେମୀ ଲଗ୍‍ ଅନ୍‍ କରିଥିବା ଜଣାପଡ଼ିଛି। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ କହିଛନ୍ତି, ଏକାସାଙ୍ଗେ ହଜାର ହଜାର ଲଗ୍‍ କରା ଯାଉଥିବାରୁ ପେଜ୍‍ ଖୋଲିବାରେ ସମସ୍ୟା ହୋଇଥିଲା ପରବର୍ତ୍ତୀ ସମୟରେ ପେଜ୍‍ ଖୋଲିବା ସହିତ ଟିକଟ ମଧ୍ୟ ବୁକିଂ କରାଯାଇଛି। କେଉଁ ଷ୍ଟାଡିୟମ ପାଇର୍ଁ କେତେ ଟିକଟ ବିକ୍ରି କରାଯାଇଛି; ତାହା ହକି ଇଣ୍ଡିଆ କହିପାରିବ ବୋଲି ବିଶାଳ ଦେବ କହିଥିଲେ। ହକି ଇଣ୍ଡିଆ ଉପସଭାପତି ଭରତ ଭୂଷଣ କୁହନ୍ତି, ଏକାସହ ହଜାର ହଜାର ଲୋକ ଟିକଟ କିଣିବାର ପ୍ରୟାସ କରିଥିବାରୁ ସାଇଟ୍‍ ଖୋଲିବାରେ ସମସ୍ୟା ହୋଇଥିଲା। ପରବର୍ତ୍ତୀ ସମୟରେ ଟିକଟ ବୁକିଂ କରିବାରେ କୌଣସି ସମସ୍ୟା ହୋଇନଥିଲା। ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ଉଦ୍‍ଘ୍‍ାଟନୀ ଉତ୍ସବରେ ଏ.ଆର୍‍. ରେହ୍‍ମାନ, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଶାହାରୁଖ ଖାଁ ପ୍ରମୁଖ ଯୋଗଦେବାକୁ ଥିବା ବେଳେ ବାରବାଟୀ ଷ୍ଟାଡିୟମରେ ରେହ୍‍ମାନଙ୍କ ସହ ସୁପରଷ୍ଟାର ପ୍ରଭାସ ଯୋଗଦେବେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories