ଭୁବନେଶ୍ୱର : ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଆସନ୍ତାକାଲି (ରବିବାର) ଓଡିଶା ଆସିବ । ରବିବାର ସକାଳ ପ୍ରାୟ ୭ଟାରେ ଭୁବନେଶ୍ୱର ବିମାନବନ୍ଦରରେ ମୃତଦେହ ପହଞ୍ଚିବ ବୋଲି ରାଜ୍ୟ କ୍ରୀଡ଼ା ବିଭାବ ପକ୍ଷରୁ ସୂଚନା ମିଳିଛି । ଏହା ପରେ ଲୋକଙ୍କ ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମରେ ସକାଳ ୯.୪୫ରୁ ୧୦.୪୫ ଯାଏଁ ମୃତଦେହକୁ ରଖାଯିବ । ଏନେଇ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ସୂଚନାଯୋଗ୍ୟ, ଢେଙ୍କାନାଳର କାଞ୍ଚନ ବଜାରର କୁମ୍ଭାର ସାହିରେ ଜନ୍ମିତ ୫୩ ବର୍ଷୀୟା କଳ୍ପନା ଦାଶ ଗତ ୨୨ ତାରିଖରେ ଏଭରେଷ୍ଟରୁ ଓହ୍ଲାଇବା ସମୟରେ ଅସୁସ୍ଥ ହୋଇପଡିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭରେଷ୍ଟରୁ ମୃତଦେହ ଉଦ୍ଧାର କରି ଓଡିଶା ଆଣିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଥିଲେ। ଏକ ୩ ଜଣିଆ ଦଳ କଳ୍ପନାଙ୍କ ମୃତଦେହକୁ ଏଭରେଷ୍ଟରୁ ଉଦ୍ଧାର କରିବା ପରେ ଗତ ଶୁକ୍ରବାର ନେପାଳ କାଠମାଣ୍ଡୁରେ ପହଞ୍ଚିଥିଲା। ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇଥିଲା। ଶନିବାର କଳ୍ପନାଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଥିଲା। ଶନିବାର ରାତି ସୁଦ୍ଧା କଳ୍ପନାଙ୍କ ମୃତନେଦହକୁ ଓଡ଼ିଶା ଅଣାଯିବାର ଥିଲା। ମାତ୍ର ବିଳମ୍ବ କାରଣରୁ ଆସିପାରିଲା ନାହିଁ। କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚି ଥିଲା। ବିଳମ୍ବ କାରଣରୁ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ବିମାନ ପଳାଇ ଆସିଥିଲା।



