ଦୁର୍ଗମ ଅଞ୍ଚଳର ଦୟନୀୟ ଚିତ୍ର; ୧୦କିମି ଖଟିଆରେ ବୁହାହେଲେ ଗର୍ଭବତୀ

କଲମପୁର: ଗାଁକୁ ନାହିଁ ଗମନାଗମନର କୌଣସି ବ୍ୟବସ୍ଥା। ଏପଟେ ଅକାତକାତ ଜଳଭଣ୍ଡାରର ଜଳରାଶି ମଧ୍ୟରେ ଚାଲିଛି ଅଞ୍ଚଳବାସୀଙ୍କ ଜୀବନଯାତ୍ରା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏହି ଅଞ୍ଚଳ ପାଇଁ ସ୍ବପ୍ନ ପାଲଟିଥିବା ବେଳେ ସାଧାରଣ ମୌଳିକ ସୁବିଧା ଏହି ଅଞ୍ଚଳ ପାଇଁ ଅପହଞ୍ଚ ହୋଇ ରହିଯାଇଛି। ଭଗବାନଙ୍କୁ ଭରସା ଏବଂ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ ପଡିରହିବା ଛଡା ଆଉ ଉପାୟ ନାହିଁ। ଗମନାଗମନର ଉତ୍ତମ ବ୍ୟବସ୍ଥା ନାହିଁ ବୋଲି ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ। ଏଭଳି ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ। ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ଅଞ୍ଚଳ ଭାବେ ପରିଚିତ ପୋଡାପଦର ଗ୍ରାମ ପଞ୍ଚାୟତ ପାଇଁ ଏହିଭଳି ଘଟଣା ଦେହସୁହା ହେଇସାରିଲାଣି। ଆଜି ଏହି ଦୁର୍ଗମ ପଞ୍ଚାୟତର ଅପହଞ୍ଚ ଗାଁ ଉପରପୁଙ୍ଗାର ଜଣେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା। ଗାଁକୁ ରାସ୍ତା ଖଣ୍ଡେ ନାହିଁ ବୋଲି ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଥିବା ବେଳେ ଗାଁକୁ ପହଞ୍ଚି ପାରୁନି ଜରୁରୀକାଳୀନ ଅମ୍ବୁଲାନ୍ସ ସେବା। ଗର୍ଭବତୀ ମହିଳାଜଣକ ହେଲେ ଉପରପୁଙ୍ଗା ଗ୍ରାମର ଚକ୍ରଧର ହରିଜନଙ୍କ ସ୍ତ୍ରୀ ଅଞ୍ଜଳୀ ହରିଜନ।

ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କିପରି ଡାକ୍ତରଖାନାକୁ ନିଆଯିବ ଚିନ୍ତାରେ ପରିବାର। ଆମ୍ବୁଲାନ୍ସକୁ ଫୋନ୍ କରିବା ପାଇଁ ମୋବାଇଲ ନେଟ୍ଓ୍ବର୍କ ମଧ୍ୟ ଏହି ଜଳବନ୍ଦୀ ଅଞ୍ଚଳକୁ ଅପହଞ୍ଚ। ଏପରି ସ୍ଥଳେ ଏହି ପଞ୍ଚାୟତର ସମିତି ସଭ୍ୟ ଅକ୍ଷୟ କୁମାର ହରିଜନ ମହିଳାଙ୍କ ଅବସ୍ଥା ଗୁରୁତର ଦେଖି ମୋବାଇଲ ନେଟ୍ଓ୍ବର୍କ ପଏଣ୍ଟକୁ ଯାଇ ବୋଟ୍ ଅମ୍ବୁଲାନ୍ସକୁ ଯୋଗାଯୋଗ କରି ଫେରି ଏକ ଖଟିଆରେ ପରିବାର ଲୋକଙ୍କ ସହଯୋଗରେ ନିଜେ ମଧ୍ୟ କାନ୍ଧରେ ବୋହି ଦୁର୍ଗମ ପାହାଡିଆ ଘଞ୍ଚ ରାସ୍ତାରେ ପ୍ରାୟ ୮ କିଲୋମିଟର ଆଣି ତଳଟେମରା ଡଙ୍ଗା ଘାଟରେ ପହଞ୍ଚାଇଥିଲେ। ହେଲେ ଇତି ମଧ୍ୟରେ ଅଧବାଟରେ ମହିଳା ଜଣକଙ୍କ ପ୍ରସବ ହୋଇଥିଲା। ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମହିଳା ଜଣକ ଅଧିକ ଗୁରୁତର ହୋଇ ଚେତାଶୂନ୍ୟ ହୋଇପଡିଥିଲେ। ପରେ ପୁଣି ଚେତା ଫେରିପାଇବା ଦେଖି ପୁଣି ତଳଟେମରା ଡଙ୍ଗା ଘାଟକୁ ନେଇଆସିଥିଲେ। ସୂଚନା ପାଇ ବୋଟ୍ ଅମ୍ବୁଲାନ୍ସ ଅପେକ୍ଷା କରିଥିଲା ତୁରନ୍ତ ସେଇ ଅମ୍ବୁଲାନ୍ସ ଯୋଗେ ଜଳଭଣ୍ଡାରର ପୋଡାଗଡ ଡ୍ୟାମ୍ ନିକଟକୁ ଆଣିଥିଲେ।ସେଠାରୁ ୧୦୮ ଅମ୍ବୁଲାନ୍ସ ଯୋଗେ ପୁଣି ଗୁରୁତର ପ୍ରସୂତୀ ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପ୍ରସୂତୀ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଦେଖି ଡାକ୍ତର ତାଙ୍କୁ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି। ଏହି ଅଞ୍ଚଳକୁ ଗମନାଗମନର ସୁବ୍ୟବସ୍ଥା ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ ସୁଧୁରୁନି ଏବଂ ଏଠିକାର ଅଞ୍ଚଳବାସୀ ଭୋଗୁଛନ୍ତି ସାଂଘାତିକ ସମସ୍ୟା। ତେବେ ଆଉ କେତେ ବର୍ଷ ବିତିଲେ ଏହି ଅଞ୍ଚଳକୁ ମିଳିବ ମୌଳିକ ସୁବିଧା? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସରକାର ଏହାର ସମାଧାନ ପାଇଁ କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା।

Comments are closed.