କଲମପୁର:କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳର ଜନୈକ ନାବାଳିକା ଗତଜୁଲାଇ ୭ ତାରିଖରେ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଏହି ଥାନା ଅଞ୍ଚଳର ଭଗବାନ ଗଉଡ ନାମକ ଜଣେ ଯୁବକ ମଧ୍ୟ ସେହି ଦିନ ଠାରୁ ନିଖୋଜ ଥିବା ଜଣାପଡ଼ିଥିଲା। ତେଣୁ ନାବାଳିକାର ପରିବାର ଭଗବାନ ଗଉଡ ହିଁ ନାବାଳିକା ଝିଅକୁ ଅପହରଣ କରିଥିବା ନେଇ ସନ୍ଦେହ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ସନ୍ଦେହ ଦୂର ହୋଇଥିଲା। ଭଗବାନ ନାବାଳିକା ଝିଅକୁୁ ଧରି ରାଜ୍ୟ ବାହାରକୁ ପଳାଇ ଯାଇଥିଲା। ପ୍ରାୟ ୪୭ ଦିନ ନିଜ ପାଖରେ ରଖିବା ପରେ ନାବାଳିକାକୁ ତାର ଘରେ ଆଣି ଛାଡି ଦେଇଥିଲା। ଏନେଇ ଝିଅର ବାପା ନିଜ ଝିଅକୁ ସାଙ୍ଗରେ ଧରି ନ୍ୟାୟ ପାଇବା ପାଇଁ ଥୁଆମୁଳ ରାମପୁର ଥାନାର ଦ୍ବାରସ୍ଥ ହେଇଥିଲେ।
ବିବାହ କରିବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଭଗବାନ ଅପହରଣ ଏବଂ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ନେଇ ଅଭିଯୁକ୍ତ ଭଗବାନକୁ ଥୁଆମୂଳ ରାମପୁର ଥାନାକୁ ଆଣି ପଚରାଉଚରା କରିବା ସହିତ ନାବାଳିକାକୁ ଡାକ୍ତରି ମାଇନା ପାଇଁ ପଠାଯାଇଥିଲା ଏବଂ ଶୁକ୍ରବାର ଅଭିଯୁକ୍ତକୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଛି। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଯାଇଛି। ଥୁଆମୁଳ ରାମପୁର ଥାନା ସବ୍ ଇନ୍ସପେକ୍ଟର ରଶ୍ମି ରଞ୍ଜନ ବାଗ ଏହି ଘଟଣାର ତଦନ୍ତ ଭାର ନେଇ ତଦନ୍ତ ଚଳାଇଛନ୍ତି।



