କଲମପୁର: ଲଗାଣ ବର୍ଷା ଯୋଗୁଁ ଭାଟିଗାଁ ଠାରେ ଥିବା ଏକ ମାଟିକାନ୍ଥର ଘର ଭୁଷୁଡି ପଡ଼ିଛି। ଯାହା ଫଳରେ ଘର ଭିତରେ ଥିବା କବିତା ବାଗ ନାମ୍ନି ଜଣେ ମାନସୀକ ବିକୃତ ମହିଳା ଚାପି ହେଇ ରହିଯାଇଥିଲେ। ମଙ୍ଗଳବାର ସକାଳେ କିଛି ଯୁବକ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ଅମୃତ ଧାରା ପାଇଁ ଥିବା କୋଠରୀରେ ରଖାଯାଇଛି। ମହିଳା ଜଣକର ବାପାମାଙ୍କ ମୃତ୍ୟୁ ହେବା ପରେ ହଠାତ୍ ସେ ମାନସୀକ ଭାରସାମ୍ୟ ହରାଇ ପାଗେଳି ପ୍ରାୟ ହେଇଯାଇଛି। ଏଭଳି ସ୍ଥିତିରେ ତାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ତାର ସମ୍ପତି କହିଲେ ପିତୃ ଅର୍ଜିତ ଘର ଡିହ ଖଣ୍ଡକ। କବିତା ମାନସିକ ବିକୃତ ହେଇଥିବା ବେଳେ ବର୍ତମାନ ମେରୁଦଣ୍ଡ ଆଘାତ ଯୋଗୁଁ ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛି। ନିଜର ସାମର୍ଥ୍ୟ ନଥିବାରୁ ଅନ୍ୟର ଦୟାର ପାତ୍ର ପାଲଟିଛି।
ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ୫ କେ.ଜି ଚାଉଳ ମିଳୁଥିବା ବେଳେ କବିତାର ଜଣେ ନିକଟ ସମ୍ପର୍କୀୟ ଏହି ଚାଉଳ ନେଇଥାନ୍ତି। ଅନେକ ସମୟରେ ଅସହାୟ କବିତାର ଦୁର୍ବିସହ ଜୀବନ ନେଇ ଖବର ପ୍ରକାଶ କରାଯାଇଥିଲେ ମଧ୍ୟ ଏଯାଏଁ ପ୍ରଶାସନ କବିତା ପାଇଁ କୌଣସି ବ୍ୟବସ୍ଥା କରି ନାହିଁ। ଅନ୍ୟପଟେ କେହି ତାର ନିଜର ଲୋକ ନଥିବାରୁ ତାର ଚିକିତ୍ସା ହେଇ ପାରିନାହିଁ। ଏନେଇ କଲମପୁର ତହସିଲଦାର କରିଶ୍ମା ବେଶ୍ରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତୁରନ୍ତ ତାକୁ ଉଦ୍ଧାର କରାଯାଇ କୌଣସି ଏକ ଦାତବ୍ୟ ଅନୁଷ୍ଠାନରେ ସୁରକ୍ଷା ଦିଆଯିବ ବୋଲି ସୁଚନା ଦେଇଛନ୍ତି।



