କଲମପୁର:କାଶିପୁର, କଲ୍ୟାଣସିଂପୁର, ଦଶମନ୍ତପୁର ଅଞ୍ଚଳରେ ଝାଡା ବାନ୍ତି ପ୍ରକୋପ ଥମୁନଥିବାବେଳେ ପୁଣି ଥୁଆମୁଳ ରାମପୁର ଅଂଚଳରେ ଝାଡା ବାନ୍ତି ରୋଗର ପ୍ରକୋପ ଦେଖା ଦେଇଛି। ପୂର୍ବରୁ ଗୋପିନାଥପୁର ପଞ୍ଚାୟତ ଅଧିନସ୍ଥ ଚିଙ୍ଗିରିପାସ ଠାରେ ଏହି ରୋଗର ପ୍ରଭାବ ଦେଖା ଦେଇଥିଲା। ପୁଣି ଏବେ ମାଲିଗାଁ ପଞ୍ଚାୟତ ଅଧିନସ୍ଥ କଣାସୁକଲି ଓ କର୍ଡାପାସରେ ପ୍ରାୟ ୯ ଜଣ ଆକ୍ରାନ୍ତ ଥିବା ଜଣା ପଡିଛି। ସେହିଭଳି ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ପୋଡାପଦର ପଂ·ୟତ ଅଧିନସ୍ଥ କୁଟୃପାଟରେ ମଧ୍ୟ କିଛି ଲୋକ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେଇଥିବା ସୁଚନା ମିଳିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ଅନ୍ୟପଟେ କର୍ଡାପାସ ର ଲଛମା କୁମାର ଓ କଣାସୁକଲିର ଜାଉ ଲୋହରା, ଭଗବାନ ଗଉଡଏବଂ ନକୁୁଲ ଗଉଡ ପ୍ରମୁଖ ରୋଗୀଙ୍କ ଅବସ୍ଥା ସ୍ୱଭାବିକ ହେଉଥିବା ସୂଚନା ମିଳିଛି।
ଶନିବାର ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଦଳ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ନିତିଶ ଝାଙ୍କ ନେତୃତ୍ୱରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି କିଛି ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଏହି ସ୍ୱତନ୍ତ୍ର ଦଳରେ ବ୍ଲକ ପ୍ରଶାସନ ତରଫରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭରତ ମେହେର, ପୋଡାପଦର ପଞ୍ଚାୟତର ସରପଂଚ ରାଇସିଂ ମାଝୀ ଓ ସମିତି ସଭ୍ୟ ଅକ୍ଷୟ ନାଏକ ପ୍ରମୁଖ ସାମିଲ ହେଇଥିଲେ। ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କ ଆବଶ୍ୟକ ଯତ୍ନ ସମ୍ବନ୍ଧରେ ଏହି ସ୍ୱତନ୍ତ୍ର ଦଳ ବୁଝାଇଥିଲେ।



