ଭବାନୀପାଟଣା: କଳାହାଣ୍ଡି ଜିଲା ଭିଜିଲାନ୍ସ ଡିଏସ୍ପି ସତ୍ୟବାନ୍ ମହାନନ୍ଦ ନିଜର କାର୍ଯ୍ୟଦକ୍ଷତା ପାଇଁ ଓଡିଶା ପୁଲିସ ବିଭାଗର ସର୍ବଶ୍ରେଷ୍ଠ ସମ୍ମାନ ପୁଲିସ ମହାନିର୍ଦେଶକ ପଦକ(ଡିଜିପି ଡିସ୍) ପାଇଛନ୍ତି। ସତ୍ୟବାନ ମହାନନ୍ଦ ୧୯୯୩ ମସିହାର ପୁଲିସ ଚାକିରୀରେ ଯୋଗ ଦେଇଥିଲେ। ସେ ପ୍ରଥମେ ଚାକିରୀ ଜୀବନ ଆରମ୍ଭ କରିଥିଲେ ନୟାଗଡ ଜିଲାର ସରଣକୂଳ, ଓଢଗାଁ, ନୟାଗଡ, ଦଶପଲା, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, କଳାହାଣ୍ଡି ଜିଲାର କୋକସରା, ମଦନପୁର ରାମପୁର, କେସିଙ୍ଗା, ଜୟପାଟଣା ଏବଂ କୋରାପୁଟ ଜିଲାର ଦଶମନ୍ତପୁର ଥାନାରେ କାର୍ଯ୍ୟ କରିଥିଲେ। ଏହାପରେ ୨୦୦୮ ମସିହାରେ ସେ ଭିଜିଲାନ୍ସ ଇନିସ୍ପେକ୍ଟର ଭାବେ ଜୟପୁର ଭିଜିଲାନ୍ସରେ ଯୋଗଦେଇଥିଲେ। ସେଠାରୁ ଭବାନୀପାଟଣା ଭିଜିଲାନ୍ସ ଇନ୍ସିପେକ୍ଟର କାର୍ଯ୍ୟ କରିବା ପରେ ୨୦୧୩ ରେ ଭିଜିଲାନ୍ସ ଡିଏସ୍ପି ଭାବେ ପଦୋନ୍ନତି ପାଇଁ ନବରଙ୍ଗପୁର ଭିଜିଲାନ୍ସ ଡିଏସ୍ସି ୨୦୧୩ରେ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୬ ମସିହାରୁ ଅଦ୍ୟାବଧି କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ଭାବେ କାର୍ଯ୍ୟ କରୁଛନ୍ତି। ଅଦ୍ୟାବଧି ସେ ୫୦ ରୁ ଊର୍ଦ୍ଧ୍ବ ଭିଜିଲାନ୍ସ କେସ୍ର ତଦନ୍ତ ଦାୟିତ୍ୱ ସୁଚାରୁରୂପେ ସମ୍ପାଦିତ କରିଛନ୍ତି।

୮୬ ତମ ରାଜ୍ୟସ୍ତରୀୟ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୧ ତାରିଖ ଦିନ ଓଡିଶା ପୁଲିସ ମହାନିର୍ଦେଶକ ଅଭୟ କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କର କାର୍ଯ୍ୟ ଦକ୍ଷତା ଓ ସଚୋଟତାକୁ ଭିତ୍ତି କରି ଓଡିଶା ପୁଲିସ ବିଭାଗର ସର୍ବଶ୍ରେଷ୍ଠ ସମ୍ମାନ ପୁଲିସ ମହାନିର୍ଦେଶକ ପଦକ(ଡିଜିପି ଡିସ୍) ପ୍ରଦାନ କରିଛନ୍ତି।



