bjd gruha runa banner

କଏଦୀରୁ ଏମ୍‍ବିବିଏସ୍‍ : ଜେଲରେ ୧୪ ବର୍ଷ କାଟି ମଧ୍ୟ ସ୍ୱପ୍ନ ସାକାର କଲେ ସୁଭାଷ

bjd  ek lkhya koti banner

କାଲାବୁରାଗୀ: କର୍ଣ୍ଣାଟକ ସ୍ଥିତ କାଲାବୁରାଗୀର ସୁଭାଷ ପାଟିଲ ଜେଲରେ ରହି ନିଜ ସ୍ୱପ୍ନକୁ ସାକାର କରିଛନ୍ତି। ଡାକ୍ତର ହୋଇ ଲୋକମାନଙ୍କ ସେବା କରିବାର ଇଚ୍ଛା ତାଙ୍କର ପିଲାବେଳୁ ଥିଲା, ଯାହା ଆଜି ସାକାର ହୋଇଛି। ୧୪ ବର୍ଷ ଜେଲରେ ରହି ମଧ୍ୟ ଡାକ୍ତର ହେବାର ନିଜ ସ୍ୱପ୍ନକୁ ପୂରଣ କରିପାରିଛନ୍ତି ୪୦ ବର୍ଷୀୟ ସୁଭାଷ। ୨୦୧୯ରେ ଏମ୍‍ବିବିଏସ୍‍ ସମାପ୍ତ କରିଥିବା ସୁଭାଷ ଆଜି(ଶନିବାର) ଏକ ବର୍ଷର ଇଣ୍ଟର୍ନସିପ୍‍ ପୂରା କରିଛନ୍ତି।

୨୦୦୨ ମସିହା ନଭେମ୍ବର ମାସରେ ଏକ ହତ୍ୟା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ ସୁଭାଷଙ୍କୁ ଗିରଫ କରିଥିଲା। ଏହାପରେ ଅଦାଲତ ତାଙ୍କୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଜେଲରେ କଏଦୀ ଭାବେ ରହି ମଧ୍ୟ ଡାକ୍ତର ହେବାର ନିଜ ସ୍ୱପ୍ନକୁ ପୂରଣ କରିବାରେ ସେ ପଛଘୁଞ୍ଚା ଦେଇ ନ ଥିଲେ। ସୁଭାଷଙ୍କୁ ଯେତେବେଳେ ଗିରଫ କରାଯାଇଥିଲା, ସେତେବେଳେ ସେ କାଲାବୁରାଗୀର ଏମଆର ମେଡିକାଲ କଲେଜରେ ତୃତୀୟ ବର୍ଷର ଛାତ୍ର ଥିଲେ। ଏହାପରେ ୨୦୧୬ରେ ସ୍ୱାଧୀନତା ଦିବସ ଅବସରରେ ଉତ୍ତମ ଆଚରଣ ପାଇଁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। କାଲାବୁରାଗୀର ଅଫଜଲପୁର ଅଞ୍ଚଳ ସ୍ଥିତ ଭୋସଗା ନିବାସୀ ସୁଭାଷ ସେଣ୍ଟ୍ରାଲ ଜେଲ୍‍ ହସ୍ପିଟାଲରେ ଡାକ୍ତରମାନଙ୍କୁ ସହାୟତା କରୁଥିଲେ। ସୁଭାଷଙ୍କ କହିବାନୁସାରେ, ଯକ୍ଷ୍ମାରେ ପୀଡ଼ିତ କଏଦୀମାନଙ୍କ ଚିକିତ୍ସା ପାଇଁ ୨୦୦୮ରେ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ସମ୍ମାନିତ କରିଥିଲା। ସୁଭାଷ ଜେଲରେ ଥିବା ସମୟରେ ୨୦୦୭ରେ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ। ଏହାପରେ ୨୦୧୦ରେ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ଏମ୍‍ଏ ପୂରା କଲେ।
ପରିଶ୍ରମ ଓ ଅପରାଧର ପଶ୍ଚାତାପ ହିଁ ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛି ବୋଲି ସୁଭାଷ କହିଛନ୍ତି। ଆଜି ଏକ ବର୍ଷ ଇଣ୍ଟର୍ନସିପ୍‍ ସାରିବା ପରେ ଏହି ସ୍ଥାନରେ ପହଞ୍ଚିବାର ଶ୍ରେୟ ସେ ତାଙ୍କ ପିତା ତୁକାରାମ ପାଟିଲଙ୍କୁ ଦେଇଛନ୍ତି। ଏହା ସହିତ ଉତ୍ତମ ଆଚରଣ ପାଇଁ ତାଙ୍କୁ ଜେଲରୁ ମୁକ୍ତ କରିଥିବାରୁ ସେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି। ଭବିଷ୍ୟତରେ ସେ ଗରିବଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି।

Comments are closed.