ପାରଳାଖେମୁଣ୍ଡି: ଗଜପତି ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜନ ଅଭିଯୋଗ ଶୁଣାଣୀ ବେଳେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା। ୧୭ ବର୍ଷ ବୟସର ଜଣେ ନାବାଳିକା କଙ୍ଗାରୁ ଭଳି ଜିଲାପାଳ କାର୍ଯ୍ୟାଳୟର ପାହାଚ ଡେଉଁଥାଏ। ଚାଲୁ ନଥାଏ କି ଦୌଡୁ ନଥାଏ। ଧ୍ୟାନ ଦେଉଦେଉ ଜଣାପଡିଲା ଝିଅର ଗୋଡରେ ଶିକୁଳି ପଡିଛି। ଝିଅଟି ନିଜ ମା, ବାପା ଓ ପରିବାରବର୍ଗଙ୍କ ସହ ଆସିଛି। କିନ୍ତୁ ତାର ଦୃତଗତିକୁ ସମସ୍ତଙ୍କ ଭୟ। ଗୋଡରେ ଶିକୁଳିବନ୍ଧା ସତ୍ତ୍ବେ ଦ୍ରୁତ ଧାବିକା ଭଳି ଆଖିପିଛୁଳାକେ ନାବାଳିକା ଜଣକ ଡେଇଁ ଡେଇଁ ପାହାଚ ଚଢିବା ଭଳି ପ୍ରତିଭା ପଛରେ ରହିଛି କାହାଣୀ।
ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ପଞ୍ଚାୟତର ବାଡାବାଡା ଗ୍ରାମର ୧୭ ବର୍ଷୀୟା ଜ୍ୟୋତିମା ଭୂୟାଁ। ସରକାରୀ ସାହାଯ୍ୟ ପାଇଁ ଆଜି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ସପରିବାର ପହଞ୍ଚିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେତେବେଳକୁ ଅଭିଯୋଗ ଶୁଣାଣୀ ଶେଷ ହୋଇଯାଇଥିଲା। ଠିକ୍ ସେହି ସମୟରେ ଅସହାୟଙ୍କୁ ଭଗବାନ ସାହା ଭଳି କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ନଜର ଜ୍ୟୋତିମାଙ୍କ ଉପରେ ପଡିଥିଲା। ପଚରାଉଚରା କରିବାରୁ ଜଣାପଡିଲା ଜ୍ୟୋତିମା ୨୦୦୭ ମସିହାରେ ଜନ୍ମ ହୋଇଥିଲେ। ସପ୍ତମ ଶ୍ରେଣୀ ପାଠ ପଢୁଥିବା ବେଳେ ପ୍ରବଳ ପେଟବ୍ୟଥାରେ ପୀଡିତ ହେଲେ। ପରେ ସେ ଜଣେ ମାନସିକ ରୋଗୀ ପାଲଟିଗଲେ। ପେଟ ରୋଗରୁ କିପରି ମାନସିକ ରୋଗୀ ପାଲଟିଲେ ତାହା ତଦନ୍ତ ସାପେକ୍ଷ। କିନ୍ତୁ କେଉଁଠି ନା କେଉଁଠି ସଠିକ୍ ଚିକିତ୍ସା ହୋଇପାରିନିଥିବା କୁହାଯାଉଛି। ମାନସିକ ରୋଗରେ ପୀଡିତ ହେବା ପରେ ଜ୍ୟୋତିମା ଦ୍ରୁତଗତିରେ ଦୌଡିବା, କାହାର ହାତକୁ ଧରାଦେଉନଥିବା, ନିଜେ କ୍ଲାନ୍ତ ଅନୁଭବ ନକରିବା ଭଳି ଲକ୍ଷଣ ଦେଖାଗଲା। ଯେଉଁଥିପାଇଁ ସବୁ ବେଳେ ତାଙ୍କୁ ପରିବାରବର୍ଗ ଶିକୁଳିରେ ଦୁଇଗୋଡକୁ ତାଲା ଲଗାଇ ରଖୁଥିବା ସ୍ବୀକାର କରିଛନ୍ତି। ଆଉ ଜିଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଶିକୁଳି ପଡିଥିବାରୁ ଜ୍ୟୋତିମା ଚାଲିବା ଓ ଦୌଡିବା ସକ୍ଷମ ହୋଇନପାରି ବିନା କ୍ଲାନ୍ତରେ ପାହାଚକୁ ପାହାଚ ଡେଇଁ ନିଜ ଦୁଃଖ ଜଣାଇବା ପାଇଁ ପ୍ରଶାସନ ନିକଟରେ ପହଞ୍ଚିଥିଲା।
ବାପା ପାଉଲ ଭୂୟାଁ ଓ ମା ତେସଲାନି ଭୂୟାଁଙ୍କ ଏକ ମାତ୍ର ଝିଅ ଜ୍ୟୋତିମା ଗତ ପାଞ୍ଚବର୍ଷ ହେବ ମାନସିକ ରୋଗରେ ପୀଡିତ। ପାଉଲ ଓ ତେସଲାନି ଯାହା ଥିଲା ବିକ୍ରିବଟା କରି ଆନ୍ଧ୍ରର ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଝିଅର ଚିକିତ୍ସା କରାଉଛନ୍ତି। କିନ୍ତୁ ବର୍ତ୍ତମାନ ଆଉ ସେମାନଙ୍କ ପକ୍ଷେ ସମ୍ଭବପର ହେଉନି। ଚିକିତ୍ସା ତ ଦୂରର କଥା ଜୀବନ ଜୀବିକା ପାଇଁ ଶ୍ରମଦାନ କରିବାକୁ ମଧ୍ୟ ସେମାନେ ଜ୍ୟୋତିମାକୁ ଛାଡି ଯାଇପାରୁନାହାନ୍ତି। ସେପଟେ ସରକାରଙ୍କ ଶୁଭଦୃଷ୍ଟି ଦୀର୍ଘ ୫ ବର୍ଷ ହେଲା ଜ୍ୟୋତିମାଙ୍କ ଉପରେ ପଡିନି। ସପରିବାର ସହ ଜ୍ୟୋତିମା ଆଜି ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲା। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଭେଟିପାରିନଥିଲେ। ଦେଖିବାକୁ ବାକି ରହିଲା ତାଙ୍କ ଉପରେ ପ୍ରଶାସନର ନଜର େକେବେ ପଡୁଛି ଓ କେବେ ଚିକିତ୍ସାରୁ ଆରମ୍ଭ କରି ସରକାରଙ୍କ ପ୍ରଦତ୍ତ ଦିବ୍ୟାଙ୍ଗ ପ୍ରମାଣପତ୍ର, ଭତ୍ତା ଭଳି ଅଧିକାର ପାଉଛନ୍ତି ?



