ଜେଏନ୍‌ୟୁ ପ୍ରଫେସରଙ୍କ ବିରୋଧରେ ୮ଟି ମାମଲା ରୁଜୁ

0

ନୂଆଦିଲ୍ଲୀ : ଛାତ୍ରଛାତ୍ରୀଙ୍କ ହଙ୍ଗାମା ପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପ୍ରଫେସର ଅତୁଲ ଜୌହରୀଙ୍କ ବିରୋଧରେ ପୁଲିସ୍ ୮ଟି ଯୌନ ନିର୍ଯାତନା ମାମଲା ରୁଜୁ କରିଛି । ସୋମବାର ସନ୍ଧ୍ୟାରେ ଜେଏନ୍‌ୟୁ ଛାତ୍ରଛାତ୍ରୀ ବସନ୍ତକୁଞ୍ଜ ପୁଲିସ୍‌ ଥାନା ସାମ୍ନାରେ ପହଞ୍ଚି ଅଭିଯୁକ୍ତ ପ୍ରଫେସରଙ୍କୁ ଗିରଫ ଦାବିରେ ହଙ୍ଗାମା କରିବା ପରେ ପୁଲିସ୍‌ ବାଧ୍ୟ ହୋଇ ଅଭିଯୋଗ ଗ୍ରହଣ କରିଛି । ସେଠାରେ ଛାତ୍ରଛାତ୍ରୀମାନେ ବ୍ୟାରିକେଡ ଭାଙ୍ଗି ହଙ୍ଗାମା କରିଥିଲେ । ରାଜପଥକୁ ଓହ୍ଲାଇ ଛାତ୍ରଛାତ୍ରୀମାନେ ଟ୍ରାଫିକ୍‌ ଜାମ କରିଦେଇଥିଲେ । ଛାତ୍ରଛାତ୍ରୀଙ୍କ ପ୍ରବଳ ବିରୋଧ ଯୋଗୁଁ ବସନ୍ତକୁଞ୍ଜ୍‌ ଥାନା ପୁଲିସ୍‌ ୮ଟି ମାମଲା ଦାଏର କରିଛି । ଅଭିଯୁକ୍ତ ପ୍ରଫେସରଙ୍କୁ କାଲି ପୁଲିସ୍‌ ପଚରାଉଚୁରା କରିବ ବୋଲି ଜଣାପଡିଛି। ଜୀବ ବିଜ୍ଞାନ ବିଭାଗର ଏହି ପ୍ରଫେସର ଜଣକ ଅଧିକାଂଶ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଏସଏମଏସ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ କେତେକ ବାମପନ୍ଥୀ ଚିନ୍ତାଧାରା ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହନରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଗତ ହୋଇଛି ବୋଲି ପ୍ରଫେସର ଜଣକ କହିଛନ୍ତି। ୧୬୪ ଆଇପିସି ଅନୁସାରେ ଅଭିଯୋକାରିଣୀଙ୍କ ବୟାନ ଅଦାଲତରେ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ତଦନ୍ତରେ ସାମିଲ ହେବା ପାଇଁ ପ୍ରଫେସରଙ୍କୁ ଥାନାକୁ ଡକାଯାଇଥିଲା । ହେଲେ ସେ ଥାନାକୁ ଆସିନଥିଲେ । ଫଳରେ କାଲି ତାଙ୍କୁ ପୁଲିସ୍‌ ଜେରା କରିବ ବୋଲି କୁହାଯାଉଛି ।

Leave A Reply