ଜେଏନ୍‌ୟୁ ପ୍ରଫେସର ଗିରଫ

0

ନୂଆଦିଲ୍ଲୀ : ଯୌନ ନିର୍ଯ୍ୟାତନା ମାମଲାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପ୍ରଫେସର ଅତୁଲ ଜୌହରୀଙ୍କୁ ଦିଲ୍ଲୀ ପୁଲିସ୍‌ ମଙ୍ଗଳବାର ଗିରଫ କରିଛି । ବସନ୍ତକୁଞ୍ଜ ଥାନାରେ ସୋମବାର ପ୍ରଫେସରଙ୍କ ବିରୋଧରେ ୮ଟି ଯୌନ ନିର୍ଯ୍ୟାତନା ମାମଲା ଦାଏର ହୋଇଥିଲା । ଜୀବ ବିଜ୍ଞାନ ବିଭାଗର ଏହି ପ୍ରଫେସର ଜଣକ ଅଧିକାଂଶ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଏସଏମଏସ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ଛାତ୍ରୀମାନେ ଅଭିଯୋଗ କରିଆସୁଛନ୍ତି ।

ଗତକାଲି ବସନ୍ତକୁଞ୍ଜ (ଉତ୍ତରକ୍) ଥାନାରେ ରୁଜୁ ମାମଲାରେ ଅଭିଯୋଗକାରିଣୀ ଦର୍ଶାଇଛନ୍ତି ଯେ ପ୍ରଫେସର ତାଙ୍କ ପରିଧାନକୁ ନେଇ ଅଶ୍ଲୀଳ ଟିପ୍ପଣୀ ଦେଉଥିବାବେଳେ ଅସଦାଚରଣ କରୁଥିଲେ । ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ ଏହି ମାମଲାରେ ନିଷ୍ପ୍ରିୟତା ପାଇଁ ଦିଲ୍ଲୀ ପୁଲିସ୍‌କୁ କଡ଼ା ସମାଲୋଚନା କରିଥିଲେ । ପ୍ରଫେସରଙ୍କ ଗିରଫ ଦାବିରେ ଜେଏନ୍‌ୟୁ ଛାତ୍ରଛାତ୍ରୀମାନେ ବସନ୍ତକୁଞ୍ଜ ଥାନାରେ ସୋମବାର ସନ୍ଧ୍ୟାରେ ପହଞ୍ଚି ହେଙ୍ଗାମା କରିବା ପରେ ପୁଲିସ୍‌ ମାମଲା ରୁଜୁ କରିଥିଲା । ଏହି କ୍ରମରେ ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଛି ।

ଅପରପକ୍ଷରେ କେତେକ ବାମପନ୍ଥୀ ଚିନ୍ତାଧାରା ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହନରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଗତ ହୋଇଛି ବୋଲି ପ୍ରଫେସର ଜଣକ କହିଛନ୍ତି। ଅଭିଯୋଗକାରିଣୀ ଛାତ୍ରୀ ଜଣକ ନିୟମିତ ଲ୍ୟାବକୁ ଆସୁନଥିବାରୁ ପ୍ରଫେସର ତାଙ୍କୁ ମେଲ୍‌ କରିଥିଲେ। ଏହାପରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଲଗାଯାଇଛି ବୋଲି ସେ କହିଛନ୍ତି ।

Leave A Reply