ନୂଆଦିଲ୍ଲୀ/ଶ୍ରୀନଗର : ଆତଙ୍କବାଦୀ ଆକ୍ରମଣର ବିପଦ ଦୃଷ୍ଟିରୁ ଅମରନାଥ ଯାତ୍ରୀ ଓ କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକମାନଙ୍କ ରହଣି କାଣ୍ଟ୍ଛାଣ୍ଟ କରିବାପାଇଁ ଜମ୍ମୁ ଓ କାଶ୍ମୀର ସରକାର ଆଜି ନିରାପତ୍ତା ସତର୍କତା ଜାରି କରିଛନ୍ତି । ରାଜ୍ୟର ଘରୋଇ ବିଭାଗ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି, ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଗୁଇନ୍ଦା ସୂଚନା ପାଇବା ପରେ ଏପରି ସତର୍କତା ଜାରି କରାଯାଇଛି । ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ୍ କେ.ଜେ.ଏସ୍. ଧିଲୋଁ, ଜି.ଓ.ସି. ଚିନାର କର୍ପସ୍ ଏବଂ ରାଜ୍ୟ ପୁଲିସ୍ ମୁଖ୍ୟ ଦିଲ୍ବାଗ୍ ସିଂ ଶ୍ରୀନଗରରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଲସ୍କର, ଜୈସ ଓ ଅନ୍ସର ଘଜ୍ୱାତୁଲ୍ ହିନ୍ଦ୍ ଆତଙ୍କଦୀମାନେ ପାକିସ୍ତାନୀ ସେନାବାହିନୀର ସମର୍ଥନରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବାପାଇଁ ଯୋଜନା କରୁଛନ୍ତି। ସେନା ବାହିନୀ, ପୁଲିସ୍ ଓ ସିଆର୍ପିଏଫ୍ ପକ୍ଷରୁ ବାଲ୍ତାଲ୍ ଓ ପହଲ୍ଗାମ୍ ଅମରନାଥ ଯାତ୍ରାପଥରେ ତନାଘନା ଅନୁସନ୍ଧାନ କରାଯାଇ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଲ୍ୟାଣ୍ଡ ମାଇନ୍ ଜବତ କରାଯାଇଛି। ଏହି ଲ୍ୟାଣ୍ଡ ମାଇନ୍ଗୁଡ଼ିକରେ ପାକିସ୍ତାନୀ ସେନାର ଚିହ୍ନ ରହିଛି। ଆମେରିକୀୟ ଏମ୍.-୨୦ ସ୍ନିପର ରାଇଫଲ ଓ ଗୋଟିଏ ଟେଲିସ୍ପୋପ୍ ଜବତ କରାଯାଇଛି। ତେବେ ଆତଙ୍କବାଦୀ ବିରୋଧି କାର୍ଯ୍ୟାନୁଷ୍ଠାନବେଳେ ପାକିସ୍ତାନର ଆତଙ୍କବାଦୀ ଫୟାଜ୍ ପାଞ୍ଜୁ ଓ ମୁନ୍ନା ଲାହୋଡ଼ି ପ୍ରାଣ ହରାଇଥିବା ସେମାନେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ଆତଙ୍କବାଦୀ ଆକ୍ରମଣ ଆଶଙ୍କା ; ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ନିରାପତ୍ତା ସତର୍କତା ଜାରି
Popular Categories


