ପଶ୍ଚିମବଙ୍ଗ ପଳାଇଲା ଜିନ୍ନତ୍‌ !

ବାରିପଦା: ଶିମିଳିପାଳରେ ଛଡ଼ାଯାଇଥିବା ମହାରାଷ୍ଟ୍ରର ବାଘୁଣୀ ‘ଜିନ୍ନତ୍‌’ ଏବେ ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ଜିନ୍ନତ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ରେଞ୍ଜ ଛାଡି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିବା ସୂଚନା ଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ। ଜିନ୍ନତକୁ ମହାରାଷ୍ଟ୍ରର ତଡବା ଜଂଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇ ଏନକ୍ଲୋଜରରେ ରଖି ଗତିବିଧି ଅନୁଧ୍ୟାନ କରିବା ପରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ (କୋର ଏରିଆ) ଭିତରେ ଛଡ଼ାଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା। ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ୧୦ ଦିନ ରହିବା ପରେ ସେ ପୁଣି ସେଠାରୁ ଖସି ପଶ୍ଚିମବଙ୍ଗର ବେଲପାହାଡି ଜଂଗଲରେ ପହଞ୍ଚିଥିବା ପ୍ରକାଶ। ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଜିନ୍ନତ ଝାଡ଼ଖଣ୍ଡରେ ରହିଥିବା ସମୟରେ ଜନ୍ତୁ ଶିକାର କରୁଥିଲା ଏବଂ ତା’ର ସ୍ୱାସ୍ଥ୍ୟ ଭଲ ଥିବା ନେଇ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ଝାଡ଼ଖଣ୍ଡ ରାଜ୍ୟ ସରକାର ଓଡ଼ିଶା ବନ ବିଭାଗକୁ ସହାୟତା କରୁଥିବା ବେଳେ ଏବେ ପଶ୍ଚିମବଙ୍ଗ ସରକାର କେତେ ସହାୟତା କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିନ୍ନତ ପଶ୍ଚିମବଙ୍ଗ ପଳାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସଠିକ୍ ସୂଚନା ଦେଉ ନ ଥିବା ବେଳେ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି କି ଜିନ୍ନତ ପଶ୍ଚିମବଙ୍ଗକୁ ପଳାଇଛି। କୁହାଯାଇଛି କି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲରେ ବାଘ ପାଇଁ ଭରପୁର ଖାଦ୍ୟ ରହିଛି। ତେଣୁ ଜିନ୍ନତ ସେଠାରେ ବେଶ୍ କିଛି ଦିନ ରହିଯାଇପାରେ ବୋଲି ଆଲୋଚନା ଚାଲିଛି।

Comments are closed.