ବାରମ୍ବାର ଆବେଦନ ପରେ ବି ଭୂମିହୀନଙ୍କୁ ମିଳୁନି ଜମି ପଟ୍ଟା; ସରକାରୀ ସୁବିଧାରୁ ବଞ୍ଚିତ ପରିବାର

ଝୁମ୍ପୁରା: ସଂପ୍ରତି ସରକାର ଭୂମିହୀନ ପରିବାରଗୁଡିକୁ ଚିହ୍ନଟ କରି ତାଙ୍କୁ ରହିବା ପାଇଁ ୪ ଡେସିମିଲ ଜମି ଯୋଗାଇ ଦେବାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଝୁମ୍ପୁରା ତହସିଲ କର୍ତ୍ତୃପକ୍ଷ ଭୂମିହୀନମାନଙ୍କ ବାସସ୍ଥାନ ପାଇଁ ଜମି ଯୋଗାଇ ଦେବା ପରିବର୍ତ୍ତେ ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତିମାନଙ୍କୁ ଜମିପଟ୍ଟା ଯୋଗାଇ ଦେଉଛନ୍ତି। ହେଲେ ବ୍ଲକର ବାସିନ୍ଦାମାନେ ବର୍ଷ ବର୍ଷ ଧରି ଭିଟାମାଟିରେ ପଡ଼ି ରହିଛନ୍ତି। ସେମାନଙ୍କୁ ଝୁମ୍ପୁରା ତହସିଲ କର୍ତ୍ତୃପକ୍ଷ ହଟାଦର କରୁଥିବା ଅଭିଯୋଗ ହୋଇଛି ଚଉଠିଆ ରାଜସ୍ୱ କାର୍ଯ୍ୟାଳୟ ଅନ୍ତର୍ଗତ ଚିତ୍ରପୁର ଗ୍ରାମରେ। ଝୁମ୍ପୁରା ବ୍ଲକ ଚଉଠିଆ ରାଜସ୍ୱ କାର୍ଯ୍ୟାଳୟ ଅସନପାଟ ପଞ୍ଚାୟତ ଚିତ୍ରପୁର ଗ୍ରାମରେ ଦୀର୍ଘ ବର୍ଷ ହେଲା ବଳଭଦ୍ର ଲହାର ରହିଆସୁଛନ୍ତି। ବର୍ତମାନ ବଳଭନ୍ଦ୍ରଙ୍କ ପରିବାର ସମେତ ତାଙ୍କର ପୁଅ ସହଦେବ ଲହାର, ବୋହୂ ଅଷ୍ଟମୀ ଲହାର, ଝିଅ ଆରତୀ, ପୁଅ ପପୁନ ରହୁଛନ୍ତି। ଚିତ୍ରପୁର ଗ୍ରାମର ଜଣେ ସ୍ଥାୟୀ ଭୂମିହୀନ ବାସିନ୍ଦା ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଜମି ପଟ୍ଟା ମିଳିପାରି ନଥିବା ସମ୍ପର୍କରେ ସହଦେବ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ସହଦେବଙ୍କ ପରିବାରକୁ ସରକାରଙ୍କ ତରଫରୁ ୪ ଡେସିମିଲ ଜମି ଯୋଗାଇ ଦେବା ପାଇଁ କେନ୍ଦୁଝର ଜିଲାପାଳଙ୍କଠାରେ ୫ଥର ଅଭିଯୋଗ କରିବା ସହିତ ଝୁମ୍ପୁରା ତହସିଲଦାରଙ୍କଠାରୁ ଦୁଇଥର ତା’ସହିତ ଚଉଠିଆ ରାଜସ୍ୱ ଅଧିକାରୀଙ୍କ ପାଖରେ ଥରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟାମିଳିପାରି ନଥିବା ସେ ଅଭିଯୋଗ କରିଛନ୍ତି।

ଚିତ୍ରପୁର ଗ୍ରାମର ସହଦେବ ଜଣେ ସ୍ଥାୟୀ ବାସିନ୍ଦା ହେବା ସହିତ ଚିତ୍ରପୁର ଗ୍ରାମ ଠିକଣାରେ ତାଙ୍କର ଭୋଟର କାର୍ଡ ରହିଛି। ଏଥିସହ ଆଧାର କାର୍ଡ ମଧ୍ୟ ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଚିତ୍ରପୁର ଗ୍ରାମର ବାସିନ୍ଦା ଭାବରେ ତାଙ୍କୁ ଜମିପଟ୍ଟା ମିଳିପାରିଲା ନାହିଁ। ସହଦେବଙ୍କ ଜମିପଟ୍ଟା ନ ଥିବାରୁ ବର୍ତମାନ ତାଙ୍କ ପୁଅ, ଝିଅମାନେ ପଢ଼ୁଥିବା ସ୍କୁଲ କର୍ତ୍ତୃପକ୍ଷ ବାସିନ୍ଦା ପ୍ରମାଣ ପତ୍ର ମାଗିଲା ବେଳେ ସହଦେବ ପିଲାଙ୍କ ସ୍କୁଲରେ ବାସିନ୍ଦା ପ୍ରମାଣ ପତ୍ର ପ୍ରଦାନ କରିପାରୁ ନଥିବାରୁ ସରକାରଙ୍କ ତରଫରୁ ପିଲାମାନେ ସ୍କୁଲରେ ଯେଉଁ ସୁବିଧା ପାଇବା କଥା ସେହି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଝୁମ୍ପୁରା ବ୍ଲକ ପରିସର ମଧ୍ୟରେ ନଭେମ୍ବର ମାସ ୨୦ ତାରିଖ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣିରେ ସହଦେବ ଜିଲାପାଳଙ୍କୁ ସାକ୍ଷାତ କରି ତାଙ୍କୁ ଜମିପଟ୍ଟା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ। ସେ ସମୟର ଜିଲାପାଳ ଆଶିଷ ଠାକରେ ଝୁମ୍ପୁରା ତହସିଲଦାର ରୋହିତ ବାଗଙ୍କୁ ୧ ମାସ ମଧ୍ୟରେ ସେହି ବ୍ୟକ୍ତିଙ୍କୁ ଜମିପଟ୍ଟା ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ। ଜିଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେବାର ଦୁଇ ମାସ ବିତିଗଲା, ତଥାପି ଜମିପଟ୍ଟା ପ୍ରଦାନ କଲେ ନାହିଁ। ସହଦେବ ତହସିଲ ଅଫିସ ଦୌଡି ଦୌଡି ନୟାନ୍ତ ହୋଇ ପଡ଼ିଲେ କିନ୍ତୁ କିଛି ଲାଭ ହେଲାନାହିଁ। ଆଉ କିଛିଦିନ ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷରେ ପିଲାଙ୍କୁ ନୂଆ ସ୍କୁଲରେ ନାମ ଲେଖାଇବେ, କିନ୍ତୁ ପାଖରେ ବାସିନ୍ଦା ପ୍ରମାଣ ପତ୍ର ନଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ସହଦେବ। ପିଲାଙ୍କ ବାସିନ୍ଦା ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର କିପରି ବାହାର କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ ସେନେଇ ସେ ଏବେ ଖୁବ୍‌ ଚିନ୍ତିତ ଥିବା ପ୍ରକାଶ କରିଛନ୍ତି।

Comments are closed.