www.samajalive.in
Wednesday, December 10, 2025
16.1 C
Bhubaneswar

ଝୁଲା ପୋଲ ତିଆରି କଲେ ଗାଁ ଲୋକ

କଲ୍ୟାଣସିଂହପୁର : ବହୁ ଚର୍ଚ୍ଚିତ ପ୍ରସଙ୍ଗ ଲିଭିଗଲାଣି। ପ୍ରଶାସନ ଓ ଲୋକପ୍ରତିନିଧି ଭୁଲିଗଲେଣି ପ୍ରସଙ୍ଗ। କିନ୍ତୁ ଲିଭିନାହିଁ ସେମାନଙ୍କ ଦୁଃଖ। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ବହୁ ଚର୍ଚ୍ଚିତ ସାଜା ଗ୍ରାମର ନାଗାବଳୀ ନଦୀ ଉପରେ କାଠ ପୋଲ ପ୍ରସଙ୍ଗକୁ ନେଇ ଦୀର୍ଘ ଦୁଇ ବର୍ଷ ତଳ ରାଜ୍ୟ ସରକାରକୁ ଘେରିଥିଲେ ବିରୋଧୀ ଦଳ। ତଥାପି ଚେତିନାହାନ୍ତି ସରକାର। ନା ସେମାନଙ୍କୁ ପ୍ରଶାସନର ନା ହିଁ କୌଣସି ଲୋକ ପ୍ରତିନିଧିଙ୍କ ଠାରୁ ସହାୟତା ମିଳିଛି। ଆଜି ବି ଗ୍ରାମବାସୀ ଜୀବନକୁ ବାଜି ଲଗାଇ କାଠ ପୋଲ ପାର ହେଉଛନ୍ତି। କୌଣସି ପ୍ରକାର ସୁବିଧା ସୁଯୋଗ ନ ପାଇ ଶେଷରେ ତଳ ସାଜା ଓ ଉପର ସାଜା ଗ୍ରାମ ଲୋକ ମିଳିତ ଭାବେ ବିଦ୍ୟୁତ୍‍ ତାର ସାହାଯ୍ୟରେ ୪୦ ଫୁଟ୍‍ ଲମ୍ବା ଓ ୧୨ଫୁଟ୍‍ ଉଚ୍ଚତା ବିଶିଷ୍ଟ ଝୁଲା ପୋଲ ନିର୍ମାଣ କରିବାରେ ଲାଗି ପଡ଼ିଛନ୍ତି। ଦୈନିକ ମଜୁରୀ ଛାଡ଼ି ଅନେକ ଶ୍ରମଜୀବୀ ଏ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗାଁରେ ଜଣେ ୮ମାସର ଗର୍ଭବତୀ ଥିବା ଯୋଗୁଁ ତାଙ୍କର ପ୍ରସବ ଯନ୍ତ୍ରଣା ପୂର୍ବରୁ ତୁରନ୍ତ ଏହି ପୋଲ କାର୍ଯ୍ୟ ଶେଷ କରିବାକୁ ଗାଁର ଆବାଳ ବୃଦ୍ଧବନୀତା ଦିନରାତି ଏକ କରି ଦେଇଛନ୍ତି। ପ୍ରଶାସନ କିମ୍ବା ରାଜନେତା ଏମାନଙ୍କ ଦୁଃଖ ଶୁଣୁ ନ ଥିବାବେଳେ ଗାଁ ଲୋକଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପ୍ରଶାସନ ପାଇଁ ଏଭଳି ଘଟଣା ଶକ୍ତ ଆହ୍ୱାନ ସଦୃଶ ହୋଇଛି।
ସ୍ୱାଧିନତା ପରେ ମଧ୍ୟ ଦୁଇ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ବର୍ଷା ଦିନ କାଠ ପୋଲ ବାହାର କରି ପୁଣି ଗ୍ରାମର ପ୍ରତି ଘର ପିଛା ଟଙ୍କା ଆଦାୟ ପୂର୍ବକ କାଠ ପୋଲ ନିର୍ମାଣ କରନ୍ତି ସେମାନେ। ତଳ ସାଜା ଗ୍ରାମରେ ୩୭ ଟି ପରିବାର ରହୁଥିବାବେଳେ ଉପର ସାଜାରେ ୩୦ ଟି ପରିବାର ବସବାସ କରନ୍ତି। ନଦୀ ପାର ହୋଇ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ଆସିବା କରୁଥିବାବେଳେ ରୋଗୀମାନେ ଏପରି ଗର୍ଭବତୀମାନେ ମଧ୍ୟ ନଦୀ ପାର ହୋଇ ଚିକିତ୍ସାଳୟକୁ ଯାଇଥା’ନ୍ତି। ବର୍ଷତମାମ ଯେଣତେଣ ଯାତାୟାତ କରି ନଦୀ ପାର ହେଉଥିବାବେଳେ ବର୍ଷା ଦିନ ହେଲେ ଗ୍ରାମବାସୀଙ୍କ ଚିନ୍ତା ବଢିଯାଏ। ବିଚ୍ଛିନ୍ନାଞ୍ଚଳବାସୀ ରୂପେ ଜୀବନ କାଟିବାକୁ ପଡିଥାଏ ଏମାନଙ୍କୁ। ପିଲାଙ୍କ ପାଠ ପଢାଠାରୁ ବାର୍ଦ୍ଧକ୍ୟ ଭତ୍ତା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଠପ ହୋଇଯାଏ। ବର୍ଷା ଦିନେ ହେଉଥିବା ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ନଦୀ ଉପରେ କାଠ ପୋଲ ବଦଳରେ ଝୁଲା ପୋଲ ନିର୍ମାଣ ରେ ଲାଗିପଡିଥିବା ଦେଖିବାକୁ ମିଳିଛି। ତଳ ସାଜା ଗ୍ରାମରୁ ପୋଲ ଦେଇ ଶିକରପାଇ ପଞ୍ଚାୟତକୁ ଗଲେ ଗ୍ରାମବାସୀଙ୍କୁ ମାତ୍ର ୫କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ବିକଳ୍ପ ରାସ୍ତାରେ ଦେଇ ପଞ୍ଚାୟତ ଯିବାକୁ ହେଲେ ଗ୍ରାମବାସୀଙ୍କୁ ଜଙ୍ଗଲିଆ ବଣ ପାହାଡ ଦେଇ ୫ କିମି ରାସ୍ତା ପାର ପରେ ଭଲ ରାସ୍ତା ଆସିଥାଏ।  ଏ ସମ୍ପର୍କରେ ବିଡିଓ ଅନୁପ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି, ଆରଡି ବିଭାଗ ପକ୍ଷରୁ ଜାଗା ଚିହ୍ନଟ ସରିଛି। ବହୁ ବିଳମ୍ବ ହେଲା। କିନ୍ତୁ ତାହା ଆରଡି ବିଭାଗ ହିଁ କରିବ। ଆଜି ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେହେରା ପଞ୍ଚାୟତ କାର୍ଯ୍ୟାଳୟ ତଦନ୍ତ ପରେ ସାଜା ଗ୍ରାମ ପରିଦର୍ଶନ ଯିବେ ଓ ଆରଡି ବିଭାଗ ସହ କଥା ହୋଇ ତୁରନ୍ତ କାର୍ଯ୍ୟାରମ୍ଭ କରିବେ ବୋଲି କହିଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories