ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଲାମୁ, ଗୁମ୍ଲା, ଗଡ଼ୱା ଓ ଲତେହାର ଜିଲ୍ଲା ସମେତ ୬ଟି ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ ଶନିବାର ଦିନ ମତଦାନ ହେବ। ଭୋଟରମାନଙ୍କୁ ଆତ୍କୃଷ୍ଟ କରିବା ପାଇଁ ପ୍ରାୟ ସବୁ ରାଜନୈତିକ ଦଳର ନେତାମାନେ ଶେଷ ଉଦ୍ୟମ କରିଛନ୍ତି। ବି.ଜେ.ପି. ସଭାପତି ଅମିତ୍ ଶାହା ଚତ୍ରା ଓ ଗଡ଼୍ୱାଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍, ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ୍ ମରାଣ୍ଡି ଓ ଅଖିଳ ଝାଡ଼ଖଣ୍ଡ ଛାତ୍ରସଂଘ ମୁଖ୍ୟ ସୁଦେଶ କୁମାର ମାହାତୋ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏହି ପର୍ଯ୍ୟାୟରେ ୩୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଜଣାପଡ଼ିଛି। ରାଞ୍ଚି, କୋଡ଼ରମା ଓ ହଜାରିବାଗ୍ ସମେତ ୮ଟି ଜିଲ୍ଲାର ୧୭ଟି ନିର୍ବାଚନ ମଣ୍ଡଳୀରେ ଡିସେମ୍ବର ୧୨ ତାରିଖରେ ଦିନ ଏହି ପର୍ଯ୍ୟାୟରେ ଭୋଟ୍ ନିଆଯିବ। ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଆସନ୍ତା ୩୦ ତାରିଖରୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ୍ ନିଆଯାଉଛି। ଡିସେମ୍ବର ୨୩ ତାରିଖରେ ଭୋଟ୍ ଗଣତି ହେବ।



