ଦିନକରେ ୧.୫ ଲକ୍ଷ ଜାତୀୟ ପତାକା ତିଆରି

ଝଣ୍ଡେ ୱାଲେ ଅଙ୍କଲ୍‍ଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ : ପ୍ରାୟ ୬୦ ବର୍ଷ ଧରି ଜାତୀୟ ପତାକା ତିଆରି କରିଆସୁଛନ୍ତି ୭୧ ବର୍ଷ ବୟସ୍କ ଅବଦୁଲ ଗଫର। ଦେଶପାଇଁ ସେ ଏହା କରୁଥିବା କହିଛନ୍ତି। ଏବେ ଦିନକୁ ୧.୫ ଲକ୍ଷ ଜାତୀୟ ପତାକା ତିଆରି କରି ଗଫର ଏକ ନୂଆ ରେକର୍ଡ ସ୍ଥାପନ କରିବା ସହିତ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ଫ୍ଲାଗ୍‍ ଅଙ୍କଲ, ଝଣ୍ଡେ ୱାଲେ ଭାବରେ ପରିଚିତ ଗଫର ଏହାକୁ ନେଇ ବେଶ୍‍ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି।
ଦିଲ୍ଲୀର ସଦର ବଜାର ଅଞ୍ଚଳରେ ଗଫରଙ୍କର ଏକ ଅଣଓସାରିଆ ପ୍ରକୋଷ୍ଠ। ତା’ଭିତରେ ବସି ଭାରତର ଜାତୀୟ ପତାକା ତିଆରିରେ ଦିନ ରାତି ଲାଗିଛନ୍ତି ଏହି ବର୍ଷିଆନ କାରିଗର। ଗତ ପ୍ରାୟ ୬୦ ବର୍ଷ ହେଲା ସେ ଜାତୀୟ ପତାକା ସିଲେଇ କରିଆସୁଛନ୍ତି। ଦେଶରେ ଜରୁରୀ ପରିସ୍ଥିତି, ଅଟଳ ବିହାରୀ ବାଜପାୟୀଙ୍କ ସରକାର, ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ ମଧ୍ୟ ସେ ଜାତୀୟ ପତାକା ଯୋଗାଇ ଦେଇଛନ୍ତି। ଭାରତ ହ୍ୟାଣ୍ଡଲୁମ୍‍ସ୍‍ ନାମରେ ଏକ ବ୍ୟବସାୟ ପ୍ରତିଷ୍ଠାନ ପରିଚାଳନା କରୁଥିବା ଗଫର କହିଛନ୍ତି, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ପକ୍ଷରୁ ‘ହର୍‍ ଘର୍‍ ତିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ଆସନ୍ତା ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ୨୦ କୋଟି ପରିବାର ଜାତୀୟ ପତାକା ଉଡାଇବେ। ସେଥିପାଇଁ ଏବେ ଜାତୀୟ ପତାକା ଚାହିଦା ଯଥେଷ୍ଟ ବଢ଼ିଯାଇଛି। ପୂର୍ବରୁ ଅଗଷ୍ଟ ୧୫ ସମୟରେ ସେମାନେ ଦିନକୁ ୪ରୁ ୫ହଜାର ଜାତୀୟ ପତାକା ତିଆରି କରୁଥିଲେ। କିନ୍ତୁ ଚଳିତ ବର୍ଷ ସେମାନେ ଦିନକୁ ୧ ଲକ୍ଷରୁ ଅଧିକ ଜାତୀୟ ପତାକା ତିଆରି କରୁଛନ୍ତି। ଚାହିଦା ଏଭଳି ବଢ଼ିଯାଇଛି ଯେ ଦେଶରେ ଥିବା ଦୋକାନ ଓ କାରଖାନାଗୁଡିକ କର୍ମଚାରୀଙ୍କୁ ଚାରି ସିଫ୍ଟରେ ନେଇ କାର୍ଯ୍ୟ କରୁଛନ୍ତି।
ଗଫରଙ୍କ ସାନଭାଇ ଅବଦୁଲ ମାଲିକ ସଦର କହିଛନ୍ତି, ଗଫରଙ୍କ ନିକଟକୁ ଦୈନିକ ପ୍ରାୟ ୫୦୦ ଟେଲିଫୋନ କଲ୍‍ ଆସୁଛି। ଏବେ ସେମାନେ ଦିନକୁ ୧.୫ ଲକ୍ଷ ଜାତୀୟ ପତାକା ତିଆରି କରୁଥିବାବେଳେ ଏହା ୨ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବାକୁ ଯାଉଛି। ତେବେ ଗଫର ଏଥିରେ ନିଜର ବ୍ୟବସାୟ ଓ ଲାଭଗତ ଦିଗକୁ ପଛରେ ପକାଇ ଏହା ଦେଶପାଇଁ କରୁଥିବା କହିଛନ୍ତି। ଏହାଦ୍ୱାରା ସେ ଅନେକ ଲୋକଙ୍କୁ କର୍ମନିଯୁକ୍ତି ଦେବା ସହିତ ଭଲ ପାରିଶ୍ରମିକ ମଧ୍ୟ ଦେଉଛନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କ ଦୋକାନରେ ଏବେ ପ୍ରାୟ ୬୦୦ କାରିଗର କାମ କରୁଛନ୍ତି। ପୂର୍ବରୁ ସେମାନେ ଦିନକୁ ୨୦୦ରୁ ୨୫୦ ଟଙ୍କା ପାରିଶ୍ରମିକ ପାଉଥିବାବେଳେ ଏବେ ଦିନକୁ ୮୦୦ରୁ ୧୦୦୦ ଟଙ୍କା ପାଉଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା କାରିଗର ଅଛନ୍ତି। ନିକଟରେ ଥିବା ଏକ ମସଜିଦର ଇମାମ୍‍ ମହମ୍ମଦ ରହମତୁଲ୍ଲା କହିଛନ୍ତି ଯେ ଆଗରୁ ଅନେକ ସାମଗ୍ରୀ ଚୀନରୁ ଆସୁଥିବାବେଳେ ଏବେ ସେସବୁ ଭାରତୀୟଙ୍କ ଦ୍ୱାରା ଦେଶ ଭିତରେ ତିଆରି କରାଯାଉଛି।

kalyan agarbati

Comments are closed.