ଜେଟ ବିବାଦ: ଯାତ୍ରୀଙ୍କ ସୁବିଧା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ ବିମାନ କମ୍ପାନୀ ବୁଧବାର ସନ୍ଧ୍ୟାରେ ତାର ସମସ୍ତ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଉଡାଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିବା ପରେ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶେଷ ମୁହୂର୍ତ୍ତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଜେଟ କମ୍ପାନୀକୁ ମଧ୍ୟବର୍ତ୍ତିକାଳୀନ ଅର୍ଥ ଯୋଗାଇଦେବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ଏବଂ ଅନ୍ୟ କୌଣସି ସୂତ୍ରରୁ ପାଣ୍ଠି ଯୋଗାଡ଼ ହେବା ଭଳି ପରିସ୍ଥିତି ନ ଥିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି।
ଅନ୍ୟ ପକ୍ଷରେ ଜେଟ ବିମାନ କମ୍ପାନୀ ପାଖରେ କୌଣସି ବିକଳ୍ପ ନ ଥିବା ଜଣାପଡିଛି। ଯଦିଓ ଜେଟ ଘରୋଇ ଏବଂ ଆନ୍ତର୍ଜାତିକ ଉଡାଣ କ୍ଷେତ୍ରରେ ବିଶେଷ ସମୟ ନିର୍ଘଣ୍ଟ ପାଇଛି କିନ୍ତୁ ଆଗାମୀ ୯୦ଦିନ ଭିତରେ ଯଦି ଏହି ଜେଟ କମ୍ପାନୀକୁ କେହି ନ କିଣନ୍ତି, ସେ କ୍ଷେତ୍ରରେ ପୂର୍ବ ସମୟ ନିର୍ଘଣ୍ଟ ଅନ୍ୟ ବିମାନ କମ୍ପାନୀକୁ ଦିଆଯିବାର ସମ୍ଭାବନା ରହିଛି। ଅନ୍ୟ କେତେକ କମ୍ପାନୀ ଜେଟ କମ୍ପାନୀକୁ କ୍ରୟ କରିବାକୁ ଆଗ୍ରହ ରଖିଥିଲେ ମଧ୍ୟ ପୂର୍ବ ବୋର୍ଡ଼ରେ କେତେକ ପରିଚାଳନାଗତ ସମସ୍ୟା ଏପର୍ଯ୍ୟନ୍ତ ସମାଧାନ ହୋଇ ନ ଥିବାରୁ ସେହି ଆଗ୍ରହୀ କମ୍ପାନୀଗୁଡ଼ିକ ପକ୍ଷରୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି।
ଯେହେତୁ ଏୟାର ଇଣ୍ଡିଆ ବିମାନ ପ୍ରାୟ ୪୦ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଛି ତେଣୁ ଜେଟ କମ୍ପାନୀ ପାଇଁ ସରକାରୀ ସ୍ଥରରେ କୌଣସି ଯୋଜନା କରିବା ଏକ ପ୍ରକାର ଅସମ୍ଭବ। ତେବେ ଆଜି ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା ବିମାନ ବନ୍ଦର ପ୍ରାଧିକରଣ ସହ ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଯଦି କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ ଏୟାର ପୋର୍ଟାଲ କିମ୍ବା ମୋବାଇଲ ଆପ ମାଧ୍ୟମରେ ଅଭିଯୋଗ କରି ପାରିବେ।
Comments are closed.