ବିଦ୍ୟୁତ୍‌ ସ୍ପର୍ଶରେ ମା’ପୁଅ ମୃତ

ଜୟପୁର: ମୃତ୍ୟୁ ଏମିତି ବି ଆସେ। କିଛି ସମୟ ମଧ୍ୟରେ ଦୁଇ ଦୁଇଟି ଜୀବନ ଚାଲିଯାଇଛି। ପୁଅକୁ ବଞ୍ଚାଇବାକୁ ଯାଇ ମା’ର ବି ହୋଇଛି ମୃତ୍ୟୁ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ଗାଁରେ। ଶୁକ୍ରବାର ସକାଳୁ ଦୁର୍ଯ୍ୟୋଧନ ଅମନାତ୍ୟ ଘର ତାରରେ ଝୁଲୁଥିବା ଗାମୁଛା ବାହାର କରୁଥିବାବେଳେ ବିଦ୍ୟୁତ ଆଘାତ ଲାଗିଥିଲା। ବିଦ୍ୟୁତ ଆଘାତରେ ଦୁର୍ଯ୍ୟୋଧନ ଛଟପଟ ହେଉଥିବା ଦେଖି ମା’ ରାମା ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ। ସେହି ସମୟରେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଓ ଶାଶୂଙ୍କୁ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା; କିନ୍ତୁ ସୌଭାଗ୍ୟବଶତଃ ସେମାନେ ବର୍ତ୍ତିଯାଇଥିଲେ।

ଦୁର୍ଯ୍ୟୋଧନ ଏବଂ ରାମାଙ୍କୁ ଜୟପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୋରିଗୁମ୍ମା ପୁଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେପଟେ ମୃତ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ନବିନା ଅମନାତ୍ୟ ଏବଂ ଶାଶୂ ସୁନାଦେଈ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Comments are closed.