www.samajalive.in
Saturday, December 6, 2025
14.1 C
Bhubaneswar

ପାରମ୍ପରିକ କୃଷି ପାଇଁ ନିଆରା ପ୍ରୟାସ:ଜୈବିକ କୃଷକ ସଂଘ ଗଠନ, ସାମିଲ ହେଲେଣି ୨୫ ଗ୍ରାମର ଚାଷୀ

ସୋରଡ଼ା: ବର୍ତ୍ତମାନ ଯୁଗରେ ରାସାୟନିକ ସାର ବ୍ୟବହାର ଅହେତୁକ ବୃଦ୍ଧି ପାଇଛି। ଧାନ ଚାଷଠାରୁଆରମ୍ଭ କରି ପନିପରିବା, ଶାଗ, ଚାଷରେ ହାନିକାରକ ରାସାୟନିକ ସାର ବ୍ୟବହାର କରାଯାଉଛି। କୀଟନାଶକ ନାମରେ ବିଭିନ୍ନ ପ୍ରକାର ପ୍ରାଣଘାତୀ ବିଷାକ୍ତ ରାସାୟନିକ ଔଷଧ ପ୍ରୟୋଗ ଫଳରେ ଅନେକ ସମୟରେ ସେସବୁ ଖାଇବା ଦ୍ୱାରା ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପରମ୍ପରାଗତ କୃଷି ବିକାଶ ଯୋଜନା ବର୍ତ୍ତମାନ ସମୟରେ ବେଶ୍‍ ଆଦୃତ ହେବାରେ ଲାଗିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଳକ୍‍ରେ। ବ୍ଳକ୍‍ର ୯ଗୋଟି ପଞ୍ଚାୟତର ୨୫ ଗ୍ରାମର ଶହଶହ ଚାଷୀ ବର୍ତ୍ତମାନ ପରମ୍ପରାଗତ କୃଷି ବିକାଶ ସହାୟତା ଯୋଜନାରେ ଜୈବିକ ସାର ପ୍ରୟୋଗ କରି ସଫଳ ଚାଷୀ ପାଲଟିଛନ୍ତି।
ରାଜ୍ୟ ସରକାରଙ୍କର କୃଷି ବିଭାଗ ତରଫରୁ ବିଭିନ୍ନ ଜିଲାରେ ପରମ୍ପରାଗତ କୃଷି ବିକାଶ ଯୋଜନା ଗତ କିଛିବର୍ଷ ହେଲା କାର୍ଯ୍ୟକାରୀ ହୋଇ ଆସୁଛି। ବ୍ଳକ୍‍ର ବୋରଦା, ଗୌଡ଼ଗୋଠ, ମେରିକୋଟ, ଗୋଛା, ଗାଜଲବାଡ଼ି, ଭଗବାନପୁର, ଜି.ପିଶାସନ, ଗେଞ୍ଜା ଓ ପାଲକାଟୁ ଏପରି ୯ଗୋଟି ପଞ୍ଚାୟତର ୨୫ଟି ଗ୍ରାମରେ ବର୍ତ୍ତମାନ ଜୈବିକ ସାର ପ୍ରୟୋଗ କରିବିଭିନ୍ନ ଫସଲ କରାଯାଉଛି। ପ୍ରତ୍ୟେକ ଗ୍ରାମରେ ୫୦ ଜଣ ଚାଷୀଙ୍କୁ ନେଇ ଜୈବିକ କୃଷକ ସଂଘ ନାମରେ ଏକ ସଂଘ ଗଠନ କରି ଏହି ଚାଷ କରାଯାଉଛି। ପ୍ରତ୍ୟେକ ସଂଘରେ ଅନ୍ୟୁନ ୫୦ ଜଣ ଚାଷୀ ରହୁଥିବା ବେଳେ ବ୍ଳକ୍‍ରେ ମୋଟ ୨୫ ଗୋଟି ଜୈବିକ କୃଷକ ସଂଘ ଗଠନ ହୋଇଛି। ସେମାନେ ବର୍ତ୍ତମାନ ଜୈବିକ ପଦ୍ଧତିରେ ବିରି, ମୁଗ, କୋଳଥ ବିଶେଷ କରି ବାଇଗଣ ଓ ଗୁଅଁାର ଚାଷ କରୁଛନ୍ତି। ପ୍ରତ୍ୟେକ ଚାଷୀ ନିଜ ନିଜ ଜମିରେ ଜିଆ କୁଣ୍ଡ କରିବା ସହିତ ଧଣିଚା, ହାଣ୍ଡିଖତ ଓ ଜୀବାମୃତ ଆଦି ବ୍ୟବହାର କରି ସଫଳ ଭାବେ ଚାଷ କରୁଛନ୍ତି। ବ୍ଳକ୍‍ର ଆଦିବାସୀ ଅଧ୍ୟୁଷିତ ଗୌଡ଼ଗୋଠ, ମେରିକୋଟ, ଗୋଛା, ଗାଜଲବାଡ଼ି ଆଦି ପଞ୍ଚାୟତରେ ବିରି, ମୁଗ, କୋଳଥ ଜୈବିକ ପଦ୍ଧତିରେ ବେଶ୍‍ ଭଲ ଆଦାୟ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ମେରିକୋଟ ଓ ଗୌଡ଼ଗୋଠ ପଞ୍ଚାୟତରେ ଜୈବିକ ପଦ୍ଧତିରେ ଚାଷ କରି ରେକର୍ଡ଼ ସଂଖ୍ୟାରେ ବାଇଲ ମଞ୍ଜି ଉତ୍ପାଦନ କରାଯାଇପାରୁଛି। ଏହି ଚାଷ ଏବେ ମାନବ ସମାଜ ପାଇଁ ବେଶ୍‍ ସହାୟକ ହୋଇପାରିଛି ବୋଲି କହିଛନ୍ତି ପରିବେଶବିତ୍‍ । ଆଗରୁ ରାସାୟନିକ ସାର ପ୍ରୟୋଗ କରି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ବର୍ତ୍ତମାନ ତାହା ଆବଶ୍ୟକ ପଡୁନି ବୋଲି କିଛି ଚାଷୀ ପ୍ରକାଶ କରିଛନ୍ତି। ଏହି ଯୋଜନାରେ ସାମିଲ୍‍ ଥିବା ପ୍ରତ୍ୟେକ ଚାଷୀଙ୍କୁ ଜିଆ କୁଣ୍ଡ ପାଇଁ ୨,୫୦୦ ଟଙ୍କା ଏବଂ ପ୍ରତ୍ୟେକ ବର୍ଷ ୩,୩୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି ବୋଲି ବ୍ଳକ୍‍ କୃଷି ଅଧିକାରୀ ପ୍ରକାଶ କରିଛନ୍ତି। ସୋରଡ଼ା ବ୍ଳକ୍‍ରେ ପରମ୍ପରାଗତ କୃଷି ବିକାଶ ଯୋଜନାକୁ ପ୍ରୋଗ୍ରେସ୍‍ ନାମକ ଏକ ସଂସ୍ଥା ଜରିଆରେ କାର୍ଯ୍ୟକାରୀ କରାଯାଉଛି। ଆଗାମୀ ଦିନରେ ଏହା ସବୁ ପଞ୍ଚାୟତରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ବ୍ଳକ୍‍ ବିପିସି ଟୁଟୁ ବିଷୋୟୀ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories