ଜଗତସିଂହପୁର: ଜଗତସିଂହପୁର ଜିଲା ବାଲିକୁଦାଥାନା ଅନ୍ତର୍ଗତ ସଦେଇପୁର ଗାଁରେ ବୁଧବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ବାମୀକୁ ଟାଙ୍ଗିଆରେ ହାଣି ସ୍ତ୍ରୀ ହତ୍ୟା କରିଥିବା ଜଣାପଡ଼ିଛି । ମୃତ ସ୍ବାମୀର ନାମ ଶୁଶାନ୍ତ ସାମଲ ଓ ସ୍ତ୍ରୀର ନାଁ ସବିତା ସାମଲ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ଶୁଶାନ୍ତ ଅଧିକାଂଶ ସମୟରେ ମଦ୍ୟପାନ କରି ସବିତାଙ୍କୁ ଗାଳିଗୁଲଜ କରିଥାନ୍ତି। ମଦ ପିଇବାକୁ ନେଇ ଉଭୟଙ୍କ ଭିତରେ ସବୁ ବେଳେ ଝଗଡ଼ା ହୁଏ। ନିୟମିତ ଭାବେ ଶୁଶାନ୍ତ ତାଙ୍କ ସ୍ତ୍ରୀ ସବିତା ଓ ତାଙ୍କର ଦୁଇ ଝିଅଙ୍କୁ ମାଡ଼ ମାରିଥାନ୍ତି। ଏହାକୁ ନେଇ ଗତକାଲି ଉଭୟ ଶୁଶାନ୍ତ ଓ ସବିତାଙ୍କ ମଧ୍ୟରେ ପୁଣି କଳହ ହୋଇଥିଲା। ସ୍ବାମୀ ରାତିରେ ଶୋଇଯିବାପରେ ସ୍ତ୍ରୀ ତାଙ୍କ ଘରେ ଥିବା ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାପରେ ସ୍ତ୍ରୀ ସବିତା ବାଲିକୁଦା ଥାନାରେ ଆତ୍ମସମର୍ପଣ କରିଛି।। ସୂଚନା ଆଧାରରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି ।



