ଅହମ୍ମଦାବାଦ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ୨୦୨୨ ସୁଦ୍ଧା ମହାକାଶକୁ ୩ଜଣ ମହାକାଶଚାରୀଙ୍କ ସହିତ ଗଗନଯାନ ପଠାଇବ। ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଏ ସଂପର୍କରେ କହିଛନ୍ତି ଯେ, ଗଗନଯାନ କାର୍ଯ୍ୟକ୍ରମ ସୁରୁଖୁରୁରେ ଆଗେଇ ଚାଲିଛି ଏବଂ ଏଥିରେ ବୈଜ୍ଞାନିକମାନେ ଗଭୀର ଭାବେ ମନୋନିବେଶ କରିଛନ୍ତି। ମହାକାଶକୁ ମାନବ ପଠାଇବା ଏହି ର୍ଯ୍ୟକ୍ରମର ଲକ୍ଷ୍ୟ।
ଅହମ୍ମଦାବାଦଠାରେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୨୦୨୨ ସୁଦ୍ଧା ଏହି ସଫଳତା ହାସଲ କରିବାକୁ ଇସ୍ରୋ ଉଦ୍ୟମ କରୁଛି । ଏଥିରେ ୩ଜଣ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଯାଇ ପୁନର୍ବାର ସେମାନଙ୍କୁ ପୃଥିବୀକୁ ଫେରାଇ ଅଣାଯିବ।
ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସୂକ୍ଷ୍ମ ଅବତରଣ କରିପାରିନଥିବାରୁ ଚନ୍ଦ୍ର ଅଭିଯାନର ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଇସ୍ରୋ ମଧ୍ୟ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ତେବେ ଅର୍ବିଟର ଭଲ ଭାବେ କାର୍ଯ୍ୟ କରୁଛି କିନ୍ତୁ ଲ୍ୟାଣ୍ଡର ବିକ୍ରମ ଠାରୁ କୌଣସି ସୂଚନା ମିଳି ନଥିବା ସେ କହିଛନ୍ତି ।



