ଜେରୁଜେଲମ : ଇସ୍ରାଏଲର ସଂସଦ ନେସେଟରେ ଗୁରୁବାର ବିବାଦୀୟ ‘ଇହୁଦୀ ରାଷ୍ଟ୍ର ବିଧେୟକ’ (ଜିଉସ୍ ନେସନ୍ ବିଲ) ପାରିତ ହୋଇଛି ଓ ଏହି ବିଧେୟକ ଆଇନରେ ପରିଣତ ହୋଇଛି। ଫଳରେ ପ୍ରତିଷ୍ଠା ଲାଭ କରିବାର ଦୀର୍ଘ ୭୦ ବର୍ଷ ପରେ ଇସ୍ରାଏଲ ‘ଇହୁଦୀ ରାଷ୍ଟ୍ର’ ଘୋଷିତ ହୋଇଛି। ଏହାସହ ଆରବୀ ସରକାରୀ ଭାଷାର ମାନ୍ୟତାରୁ ବାଦ ଦିଆଯାଇଛି ଓ ‘ହିବ୍ରୁ’ ରାଷ୍ଟ୍ରୀୟ ଭାଷା ମାନ୍ୟତା ଲାଭ କରିଛି। ଇସ୍ରାଏଲର ରାଜଧାନୀ ଭାବେ ଅବିଭାଜିତ ଜେରୁଜେଲମ ରହିବ ବୋଲି କୁହାଯାଇଛି। ସଂସଦରେ ପାରିତ ବିଧେୟକକୁ ରାଷ୍ଟ୍ରହିତରେ ନିଆଯାଇଥିବା ନିଷ୍ପତ୍ତି ବୋଲି ଦର୍ଶାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଇହୁଦୀ ଧର୍ମାବଲମ୍ବୀଙ୍କ ଦେଶ ଭାବେ ୧୯୪୮ରେ ଇସ୍ରାଏଲ ଗଠନ ହୋଇଥିଲା। ସେତେବେଳେ ବିଶ୍ୱର କୋଣ ଅନୁକୋଣରେ ଥିବା ଇହୁଦୀମାନେ ପାଲେଷ୍ଟାଇନକୁ ଫେରି ନିଜ ଭୂମି ଉପରେ ହକ୍ ଜାହିର କରିବାକୁ କୁହାଯାଇଥିଲା। ବିଧେୟକ ପାରିତ ହେବା ଦିନକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଐତିହାସିକ ଅବସର ବୋଲି କହିଛନ୍ତି। ପାରିତ ନୂତନ ବିଧେୟକକୁ ଇସ୍ରାଏଲର ଆରବୀ ସାଂସଦମାନେ ବିରୋଧ କରିଛନ୍ତି। ନେତନ୍ୟାହୁ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ଏବେ ଇସ୍ରାଏଲକୁ ଇହୁଦୀ ଲୋକଙ୍କ ନିବାସସ୍ଥାନ ଭାବେ ଦେଖାଯିବ। କେବଳ ଇହୁଦୀଙ୍କୁ ଏଠାରେ ନାଗରିକତାର ଅଧିକାର ମଳିବା ଉଚିତ୍। ସଂସଦରେ ଏହି ବିଧେୟକ ପାରିତ ହେବାକୁ ୮ ଘଣ୍ଟା ସମୟ ଲାଗିଥିଲା। ବିଧେୟକ ସପକ୍ଷରେ ୬୨ ଜଣ ଏବଂ ବିରୋଧରେ ୫୫ ସାଂସଦ ଭୋଟ ଦେଇଥିଲେ। ପୂର୍ବରୁ ଆରବୀ ଭାଷା ଦେଶର ସରକାରୀ ଭାଷା ମାନ୍ୟତା ଲାଭ କରିଥିଲା। ଏବେ ଏହା କେବଳ ବିଶେଷ ଭାଷା ହୋଇ ରହିବ। ବିଧେୟକରେ ଇସ୍ରାଏଲ୍କୁ ଇହୁଦୀମାନଙ୍କର ଐତିହାସିକ ମାତୃଭୂମି ବୋଲି ଦର୍ଶାଯାଇଛି। ଏଥିସହ ଦେଶରେ ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ଇହୁଦୀମାନଙ୍କର ରହିଥିବା ଏଥିରେ ଉଲ୍ଲେଖ ରହିଛି। ବିଧେୟକ ବିରୋଧରେ ବିରୋଧୀମାନେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେବାର ସମ୍ଭାବନା ରହିଛି।
ଉଲ୍ଲେଖ ଯେ ଇସ୍ରାଏଲର ୯୦ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୨୦% (୧୮ ଲକ୍ଷ) ହେଉଛନ୍ତି ଆରବୀ (ମୁସଲମାନ)। ଇସ୍ରାଏଲ ଆଇନ ଅନୁସାରେ ଆରବ ମୁସଲମାନଙ୍କୁ ଇହୁଦୀଙ୍କ ଭଳି ଅଧିକାର ପ୍ରଦାନ କରାଯାଇଛି। ହେଲେ ସେମାନେ ପକ୍ଷପାତିତାର ଅଭିଯୋଗ କରିଆସୁଛନ୍ତି। ଆରବୀ ସାଂସଦ ମହମ୍ମଦ ତିବି କହିଛନ୍ତି ଯେ ଏହି ବିଧେୟକ ପାରିତ ହେବା ସହ ଇସ୍ରାଏଲରେ ଗଣତନ୍ତ୍ରର ହତ୍ୟା ହୋଇଛି।
୭୦ ବର୍ଷ ପରେ ଇସ୍ରାଏଲ ‘ଇହୁଦୀ ରାଷ୍ଟ୍ର’ ଘୋଷିତ
Popular Categories



