ଇସଲାମାବାଦ/ନୂଆଦିଲ୍ଲୀ: ଭାରତ ସରକାରଙ୍କୁ ଏବେ ଡ୍ରୋନ୍ ଆତଙ୍କ ଘାରିଛି। ରବିବାରଠାରୁ ଅଦ୍ୟାବଧି ପାକିସ୍ତାନ ପଟୁ କ୍ରମାଗତ ଭାବେ ଏକାଧିକ ଡ୍ରୋନ୍ ଭାରତୀୟ ସୀମାକୁ ଅନୁପ୍ରବେଶ କରୁଥିବାବେଳେ ଜୁନ୍ ୨୭ ରାତିରେ ଏକ ଡ୍ରୋନ୍ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ କୋଠା ଉପରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିବା ଜଣାପଡ଼ିଛି। ସେହି ଦିନ ଭୋର୍ (୨୬ତାରିଖ ବିଳମ୍ବିତ ରାତି)ରେ ଜାମ୍ମୁର ବାୟୁସେନା ଘାଟି ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବାରୁ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।
ଏ ନେଇ ଭାରତ ସରକାର ଶୁକ୍ରବାର ପାକିସ୍ତାନ ସରକାରଙ୍କ ନିକଟରେ ପ୍ରତିବାଦ କରିଛନ୍ତି। ଏହା ଉଚ୍ଚାୟୁକ୍ତଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟତିକ୍ରମ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ ତାଗିଦା କରାଯାଇଛି। ଏ ନେଇ ପାକିସ୍ତାନ ସରକାରଙ୍କଠାରୁ ଭାରତ ଜବାବ ତଲବ କରିଛି। ଶୁକ୍ରବାର ଭୋର୍ ପ୍ରାୟ ସାଢ଼େ ୪ଟା ସମୟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ) ଯବାନ ଜାମ୍ମୁର ଅରନିଆ ସେକ୍ଟରସ୍ଥିତ ଆନ୍ତର୍ଜାତିକ ସୀମାରେ ଏକ ଡ୍ରୋନ୍ ଦେଖିବାକୁ ପାଇଥିଲେ। ସେମାନେ ଏହାକୁ ଲକ୍ଷ୍ୟକରି ଗୁଳି କରିବା ମାତ୍ରେ ଡ୍ରୋନ୍ ପାକିସ୍ତାନ ଭିତରକୁ ପଳାଇଥିଲା। ଯବାନମାନେ ପ୍ରାୟ ଅଧ ଡଜନ ରାଉଣ୍ଡ ଗୁଳି ଚଳାଇଥିଲେ।



