BJD Bijuli 480×75 Mob

ଡୁ ପ୍ଲେସି, ବିରାଟ ପ୍ରହାର; ଗୁଜରାଟକୁ ହରାଇଲା ଆର୍‌ସିବି

BJD Bijuli 480×75 Mob

ବେଙ୍ଗାଲୁରୁ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଫାଫ୍‌ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ଚଳିତ ଆଇପିଏଲ୍‌ରେ ଶନିବାର ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଗୁଜରାଟ ଟାଇଟାନ୍‌ସକୁ ୪ ୱିକେଟ୍‌ରେ ଆର୍‌ସିବି ପରାସ୍ତ କରିଛି। କିଛି ଉପଯୋଗୀ ଯୋଗଦାନ ଯୋଗୁଁ ପ୍ରଥମେ ବ୍ୟାଟିଂକରି ଗୁଜରାଟ ୩ଟି ବଲ୍‌ ବାକିଥାଇ ୧୪୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ଆକ୍ରମଣାତ୍ମକ ବ୍ୟାଟିଂକରି ୩୮ଟି ବଲ୍‌ ବାକିଥାଇ ୬ ୱିକେଟ୍‌ ହରାଇ ଆର୍‌ସିବି ଜିତିଥିଲା। ୧୧ଶ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ପ୍ଲେଅଫ୍ ଖେଳିବାର କ୍ଷୀଣା ଆଶା ବଜାୟ ରଖିଛି ଆର୍‌ସିବି। ଏହା ୭ମ ସ୍ଥାନକୁ ଉନ୍ନୀତ ହୋଇଛି। ଗୁଜରାଟ ଟାଇଟାନ୍‌ସ ୧୧ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ ୯ମ ସ୍ଥାନକୁ ଖସି ଆସିବ​‌ା ସହ ଚିନ୍ତାରେ ପଡ଼ିଯାଇଛି।

ନେଟ୍‌ ରନ୍‌ରେଟ୍‌ ବଢ଼ାଇବା ଲକ୍ଷ୍ୟରେ ବିସ୍ଫୋରକ ଢଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୪୮ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ପ୍ରଥମ ଓଭରରେ ୨ଟି ଛକାମାରି ବିରାଟ କୋହଲି ତାଙ୍କ ମନୋଭାବ ସ୍ପଷ୍ଟ କରିଥିଲେ। ୨ୟ ଓଭରରେ ଅଧିନାୟକ ଫାଫ୍‌ ଡୁ ପ୍ଲେସି ୨୦ ରନ୍‌ ନେଇଥିଲେ। ୫ମ ଓଭରରେ ମାତ୍ର ୧୮ ବଲ୍‌ରୁ ଡୁ ପ୍ଲେସି ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ମାତ୍ର ୩୪ ବଲ୍‌ରୁ ୯୨ ରନ୍‌ର ଭାଗୀଦାରି କରିବା ପରେ ପ୍ରଥମ ୱିକେଟ୍‌ ପଡ଼ିଥିଲା। ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସି ବିଧ୍ବଂସୀ ବ୍ୟାଟିଂକରି ୨୩ ବଲ୍‌ରୁ ୩ଟି ଛକା ଓ ୧୦ଟି ଚୌକା ସହ ଦ୍ରୁତ ୬୪ ରନ୍‌କରି ବିଦାୟ ନେଇଥିଲେ।

ପରେ ୨୫ ରନ୍‌ରେ ଆର୍‌ସିବି ୬ଟି ୱିକେଟ୍‌ ହରାଇଥିଲା। ୱିଲ୍‌ ଜ୍ୟାକ୍‌ସ ୧ ରନ୍‌କରି ବିଦାୟ ନେଇଥିଲେ। ୮ମ ଓଭରରେ ରଜତ ପଟିଦାର ୨ ଓ ଗ୍ଲେନ୍‌ ମ୍ୟାକ୍ସୱେଲ ୪ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। କାମେରନ୍ ଗ୍ରୀନ୍ ୧ ରନ୍‌ କରିଥିଲେ। ୧୧ଶ ଓଭରରେ ଆଉଟ୍‌ ହୋଇଥିବା ବିରାଟ କୋହଲି ୨୭ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୨ ରନ୍‌ କରି ପାରିଥିଲେ। ୧୧୭ ରନ୍‌ରେ ୬ଟି ୱିକେଟ୍‌ ପଡ଼ିବା ପରେ ଦିନେଶ କାର୍ତ୍ତିକ ଓ ସ୍ବପ୍ନିଲ ସିଂହ ଆର୍‌ସିବିକୁ ଲକ୍ଷ୍ୟରେ ପହଞ୍ଚାଇଥିଲେ। କାର୍ତ୍ତିକ ୧୨ ବଲ୍‌ରୁ ୩ଟି ଚୌକା ସହ ୨୧ ଏବଂ ସ୍ବପ୍ନିଲ ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୫ ରନ୍‌କରି ଅପରାଜିତ ଥିଲେ। ଜୋସ୍‌ ଲିଟ୍‌ଲ ୪ଟି ଓ ନୁର୍ ଅହମ୍ମଦ ୨ଟି ୱିକେଟ୍‌ ନେଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ଫିଲ୍‌ଡିଂ କରିଥିଲା। ଗୁଜରାଟ ଟାଇଟାନ୍‌ସ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୬ଷ୍ଠ ଓଭରରେ ମାତ୍ର ୧୯ ରନ୍‌ ସ୍କୋର୍‌ରେ ୩ଟି ୱିକେଟ୍‌ ହରାଇଥିଲା। ଋଦ୍ଧିମାନ ଶାହା ୧ ଓ ଅଧିନାୟକ ଶୁବ୍‌ମାନ ଗିଲ୍‌ ୨ ରନ୍‌କରି ଆଉଟ୍‌ ହୋଇଥିଲେ। ସାଇ ସୁଦର୍ଶନ ୬ ରନ୍‌ କରି ବିଦାୟ ନେଇଥିଲେ। ପ‌େ‌ର ଏମ୍. ଶାହ୍‌ରୁଖ୍ ଖାଁ ଓ ଡେଭିଡ୍‌ ମିଲର ଲଢ଼ୁଆ ବ୍ୟାଟିଂକରି ୪ର୍ଥ ୱିକେଟ୍‌ ପାଇଁ ୬ ଓଭରରେ ୬୧ ରନ୍‌ ଯୋଗ କରିଥିଲେ। ମିଲର ୨୦ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୦ ରନ୍‌କରି ବିଦାୟ ନେଇଥିଲେ।

ପରେ ଶାହ୍‌ରୁଖ୍‌ ଖାଁ ୨୪ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୭ ରନ୍‌ କରିଥିଲେ। ରାହୁଲ ତିୱତିଆ ଓ ରସିଦ୍‌ ଖାଁ ୬ଷ୍ଠ ୱିକେଟ୍‌ ପାଇଁ ୪୪ ରନ୍‌ ଯୋଡ଼ିଥିଲେ। ରସିଦ୍‌ ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। ବାମହାତି ତିୱତିଆ ୨୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୫ ରନ୍‌ କରିଥିଲେ। ବିଜୟ ଶଙ୍କର ୧୦ ରନ୍‌ କରିଥିଲେ। ଶେଷ ଓଭରର ପ୍ରଥମ ୩ଟି ବଲ୍‌ରେ ଶେଷ ୩ଟି ୱିକେଟ୍‌ ପଡ଼ିଥିଲା। ମହମ୍ମଦ ସିରାଜ୍, ୟଶ୍ ଦୟାଲ ଓ ବିଜୟ କୁମାର ବୈଶାକ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ମହମ୍ମଦ ସିରାଜ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.